ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ସହରରେ ଆଉ ଭିକାରି ରହିବେ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। କେବଳ ପୁରୀ ନୁହେଁ, ଆଖପାଖ ଅଞ୍ଚଳରୁ ମଧ୍ୟ ଭିକାରି ହଟିବେ। ଭିକାରିମାନଙ୍କୁ ଥଇଥାନ କରିବା ପାଇଁ ଏକ ପ୍ୟାକେଜ ଘୋଷଣା କରାଯାଇଛି। ନୀଳାଦ୍ରି ନୀଳୟ ନାମରେ କିଛି ସ୍ୱତନ୍ତ୍ର ଘର ନିର୍ମାଣ କରାଯାଇ ସେମାନଙ୍କୁ ସେଠି ରଖାଯିବ।
ଜିଲ୍ଲାପାଳ ବଲବନ୍ତ ସିଂହଙ୍କ କହିବା ଅନୁଯାୟୀ ଆଠଟି ଆଶ୍ରୟ ସ୍ଥଳ ସହର ମଧ୍ୟରେ ନିର୍ମାଣ କରାଯିବ। ଏଠାରେ ଭିକାରିମାନଙ୍କୁ ଥଇଥାନ କରାଯିବ। ପ୍ରତିଟି ଘରେ ୫୦ ଜଣ ଭିକାରି ରହିବେ।
ଏନଜିଓମାନଙ୍କ ସହାୟତାରେ ଜନ ମଙ୍ଗଳ ଅଧିକାରୀମାନେ ଭିକାରିଙ୍କୁ ଚିହ୍ନଟ କରିବେ ଓ ଚିହ୍ନଟ ହେବା ପରେ ସେହି ଘରେ ସେମାନଙ୍କୁ ରଖାଯିବ। ଗୋଷ୍ଠୀ ସଂଗଠକ, ସ୍ଥାନୀୟ ଲୋକ ଓ ପୋଲିସର ସାହାଯ୍ୟ ବି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଖବର ଅନୁସାରେ, ଭିକାରିମାନଙ୍କୁ ମାଗଣା ଖାଦ୍ୟ, ପୋଷାକ ଓ ଅନ୍ୟ ସର୍ବନିମ୍ନ ଆଵଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ। ତାଛଡ଼ା ବିଶେଷଜ୍ଞମାନଙ୍କ ଦ୍ୱାରା ଭିକ୍ଷାବୃତ୍ତି ଛାଡିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯିବ। ସରକାରଙ୍କ ପ୍ରଫୁଲ୍ଲ ପାଣ୍ଠିରୁ ଭିକାରି ଥଇଥାନ ପ୍ୟାକେଜ ପାଇଁ ଅର୍ଥ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।


















