ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ସମ୍ପର୍କରେ ସଚେତନ କରିବାକୁ ସବୁ ମ୍ୟୁନିସିପାଲଟି ଓ ଏନଏସିକୁ ଚିଠି ଲେଖିଲା ଗୃହ ଓ ନଗର ଉନ୍ନୟନ ବିଭାଗ।

‘କୋରୋନା’କୁ ନେଇ ଏବେ ସବୁଠି ଭୟ। ଏହି ରୋଗରୁ ରକ୍ଷା ପାଇଁ ବିଭିନ୍ନ ମହଲରେ ଚାଲିଛି ସଚେତନତା। ଏନେଇ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଜାଗ ହୋଇ ଉଠିଛି। ବିଭିନ୍ନ ସହରାଞ୍ଚଳକୁ ସ୍ୱଚ୍ଛ ଏବଂ ଆହାର କେନ୍ଦ୍ରଗୁଡ଼ିକୁ ପରିଷ୍କାର ରଖିବାକୁ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାତନନ୍‌ ସବୁ ମ୍ୟୁନିସିପାଲଟିର କମିସନର ଏବଂ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। କୋରୋନାର ଭୟବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଚଠିରେ ଉଲ୍ଲେଖ କରାଯାଇଛି।

କୋରୋନା ସମ୍ପର୍କରେ ସଚେତନତା କରିବା ପାଇଁ ସମସ୍ତ ଆହାର କେନ୍ଦ୍ରମାନଙ୍କରେ ସୂଚନା ଫଳକ ଲଗାଇବାକୁ ଚିଠିରେ କୁହାଯାଇଛି। ଏହାସହ ସମସ୍ତ ଆହାର କେନ୍ଦ୍ରରେ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ସହରାଞ୍ଚଳରେ ଥିବା ଶୌଚାଳୟଗୁଡ଼ିକୁ ନିୟମିକ ପରିଷ୍କାର କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ହ୍ୟାଣ୍ଡ ସାନିଟାଇଜର ରଖିବା ଉପରେ ଗୁରୁତ୍ୱ ଦେଇଛି ବିଭାଗ।

ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ବିଜୁ ଯୁବବାହିନୀର ସଦସ୍ୟମାନେ କୋରୋନା ସମ୍ପର୍କରେ ଲୋକଙ୍କୁ ସଚତେନ କରିବାକୁ ଚିଠିରେ କୁହାଯାଇଛି। ଏହାସହ ସହରାଞ୍ଚଳରେ ଯେଉଁ ଗାଡ଼ିଗୁଡ଼ିକ ଅଳିଆ ଆବର୍ଜନା ଉଠାଉଛନ୍ତି ସେଥିରେ ଡାକବାଜି ଯନ୍ତ୍ର ବ୍ୟବହାର କରି କୋରୋନା ଭାଇରସ୍‌ ଉପରେ ସଚେତନତା କରିବାକୁ କୁହାଯାଇଛି।

ମାର୍କେଟ କମ୍ପ୍ଲେକ୍ସ, ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନରେ ଦିନକୁ ଦୁଇ ଥର ମ୍ୟୁନିସିପାଲଟି ଏବଂ ଏନଏସିର କର୍ମଚାରୀମାନେ ପରିଷ୍କାର କରିବା ଉପରେ ନଗର ଉନ୍ନୟନ ବିଭାଗ ଜୋର୍‌ ଦେଇଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ନିୟମିତ ସମନ୍ୱୟ ରଖିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ନଗର ଉନ୍ନୟନ ବିଭାଗ।

Comment