ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ କରୋନା କାୟା ବିସ୍ତାର କରୁଥିଲା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ଯୋଜନା ଚଳାଇଛନ୍ତି। ଶୁକ୍ରବାରଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ଆରମ୍ଭ ହୋଇଛି। ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ବିମାନବନ୍ଦରରେ ଥର୍ମାଲ ଗନ୍ରେ ସ୍କ୍ରିନିଂ ହେବ। ଆପଣ ଜାଣିଛନ୍ତି କି ଏହି ଥର୍ମାଲ ଗନ୍ କ’ଣ? ଯାହା କରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରୁଛି।
କରୋନା ଆକ୍ରାନ୍ତଙ୍କୁ ଚିହ୍ନୁଛି ଥର୍ମାଲ ଗନ୍
ବିଶେଷଜ୍ଞଙ୍କ କହିବା ଅନୁଯାୟୀ,କରୋନା ଜୀବାଣୁ କିମ୍ବା ଅନ୍ୟ କୌଣସି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଥର୍ମାଲ ଗନ୍ ଦ୍ୱାରା ସ୍କ୍ରିନିଂ କରି ଚିହ୍ନଟ କରାଯାଇପାରିବ। ଥର୍ମାଲ୍ ସ୍କ୍ରିନିଂ ସମୟରେ ଜଣେ ସୁସ୍ଥ ବ୍ୟକ୍ତି ଏବଂ କୌଣସି ଜୀବାଣୁ ବା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ।
ଥର୍ମାଲ ଗନ୍ର ବିଶେଷତ୍ୱ
କରୋନାର ସଂକ୍ରମଣ ବିଷୟରେ ଅନୁମାନ କରିବା ପାଇଁ ଏବେ ଥର୍ମାଲ ଗନ୍ର ପ୍ରୟୋଗ କରାଯାଉଛି। ବିଭିନ୍ନ ଏୟାରପୋର୍ଟ ଓ ସର୍ବ ସାଧାରଣ ସ୍ଥାନରେ ଏହା ବ୍ୟବହୃତ ହେଉଛି। ଥର୍ମାଲ ଗନ୍ ହେଉଛି ହାତରେ ଧରିବାକୁ ଥିବା ଏକ ଛୋଟ ଡିଭାଇସ, ଯାହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ନଛୁଇଁ ତାଙ୍କ ଶରୀରର ତାପମାତ୍ରା ମପା ଯାଇପାରେ। ସାଧାରଣତଃ ଶରୀରରେ କୌଣସି ଭୂତାଣୁ ସଂକ୍ରମଣ ଥିଲେ ଶରୀର ତାପମାତ୍ରା ଜଣେ ସୁସ୍ଥ ବ୍ୟକ୍ତିଙ୍କଠାରୁ ଅଧିକ ରହିଥାଏ।
ଥର୍ମାଲ ଗନରୁ ବାହାରୁଥିବା ରଶ୍ମୀ ଜଣେ ବ୍ୟକ୍ତିଙ୍କ କପାଳ ଉପରେ ପଡ଼େ। ଏହି ଡିଜିଟାଲ ଡିଭାଇସରେ ସଂପୃକ୍ତ ବ୍ୟକ୍ତିଙ୍କ ତାପମାତ୍ରା ଜଣାପଡ଼େ। ଅଧିକ ତାପମାତ୍ରା ଥିବା ବ୍ୟକ୍ତି ତଥା କରୋନାର ଅନ୍ୟ ପ୍ରାଥମିକ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କୁ ସ୍କ୍ରିନିଂ କରି କରୋନା ପରିଚାଳନା କରାଯାଇଥାଏ।
ଅନଲାଇନ ଅର୍ଡର କରି ହେବ ଏହି ମେସିନ
ଇ-କମର୍ସ ୱେବସାଇଟରେ ଥର୍ମୋମିଟର ବନ୍ଧୁକ ଉପଲବ୍ଧ, ଯାହାର ପ୍ରାରମ୍ଭିକ ମୂଲ୍ୟ ୩ ହଜାରରୁ ୫୦ହଜାର ଟଙ୍କା ମଧ୍ୟରେ ରହିଛି। ଆପଣ ଏହାକୁ ଘରୁ ଅର୍ଡର କରିପାରିବେ। ମାତ୍ର ସ୍କ୍ରିନିଂ ସମୟରେ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ପଡ଼ିବ।