ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବଢୁଛି କରୋନା ଡର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନାକୁ ନେଇ ଚିନ୍ତାରେ। କରୋନାଠାରୁ କିପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ହେଲ୍‌ପଲାଇନ୍‌ ନମ୍ବର ୧୦୪ ସକ୍ରିୟ ହୋଇ ଉଠିଛି।

ଗତ ତିନି ଦିନ ହେଲା ୧୦୪ ନମ୍ବରକୁ ବିଭିନ୍ନ ଲୋକ ଫୋନ୍‌ କରି କରୋନା ସମ୍ପର୍କରେ ବୁଝୁଛନ୍ତି। ଏହାସହ ନାଁ ପଞ୍ଜୀକରଣ ମଧ୍ୟ କରୁଛନ୍ତି। ଗତ ୨୪ ଘଣ୍ଟା ଭିତରେ ୧୦୪ ନମ୍ବରରେ ୧୨ ହଜାର ୨୬୮ଟି କଲ୍‌ ଆସିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

‘‘ହେଲ୍‌ପଲାଇନ୍‌ ନମ୍ବର ୧୦୪କୁ ସାଧାରଣ ଦିନରେ ଏତେ ପରିମାଣରେ କଲ୍‌ ଆସେନି। ହେଲେ କରୋନା ସମ୍ପର୍କରେ ଜାଣିବା ପାଇଁ ପ୍ରତିଦିନ ହଜାର ହଜାର କଲ୍‌ ଆସୁଛି। ଲୋକମାନେ ସୁରକ୍ଷିତ ରହିବାକୁ ନିଜ ଆଡୁ ପଦକ୍ଷେପ ନେଉଛନ୍ତି’’, କହିଛନ୍ତି ସୁବ୍ରତ ବାଗ୍‌ଚି।

ଗତ ତିନି ଦିନ ଭିତରେ ୧୦୪ ନମ୍ବରକୁ ଅଧିକ କଲ୍‌ ଆସୁଥିବାରୁ ରାଜ୍ୟ ସରକାର ଅଧିକ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ୧୦୪ ସେବାCorona  ମାଧ୍ୟମରେ ଲୋକଙ୍କୁ କରୋନା ସମ୍ପର୍କରେ ସୂଚନା ଦେବା ପାଇଁ ୨୪ ଘଣ୍ଟିଆ ଡାକ୍ତର ନିୟୋଜିତ କରରାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ୧୦୪ ସେବା ପାଇଁ ୧୫ ଜଣ ଡାକ୍ତର ଏବଂ ୧୫୦ କର୍ମଚାରୀ ନିୟୋଜିତ ହେବେ।

ରାଜ୍ୟ ସରକାରଙ୍କ ପୋର୍ଟାଲ www.covid19.odisha.gov.in ରେ ପଞ୍ଜୀକରଣ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ବିଦେଶ ଫେରନ୍ତା ଲୋକମାନେ ଏଥିରେ ନିଜ ନାଁ ପଞ୍ଜୀକରଣ କରୁଛନ୍ତି। ୨୪ ଘଣ୍ଟା ଭିତରେ ୨୬୦୦ ଜଣ ନାଁ ପଞ୍ଜୀକରଣ କରିଥିବା ଶ୍ରୀ ବାଗ୍‌ଚି ସୂଚନା ଦେଇଛନ୍ତି। ୧୦୯ଟି ଦେଶରୁ ଓଡ଼ିଶାକୁ ଆସିଥିବା ଲୋକ ଏହି ପଞ୍ଜୀକରଣ କରିଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬୨ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେଥିମଧ୍ୟରୁ ୬୧ଟି ନେଗେଟିଭ୍‌ ଆସିଥିବା ବେଳେ ଗୋଟିଏ ପଜିଟିଭ ଆସିଛି। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି।

LEAVE A REPLY

Please enter your comment!
Please enter your name here