ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଥିବା ସତ୍ତ୍ୱେ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ୪୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଗୋସାଇଁ ନୂଆଗାଁ ଥାନାରେ ୩୦, ବଡ ବଜାର ଥାନାରେ ୮, ଟାଉନ ଥାନାରେ ୪ ଜଣଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ୨୬୯, ୨୭୦ ୧୮୮ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି।
ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ଵ ସାଧାରଣ ଜନତା ଆଜି ସକାଳଠାରୁ ଏହା କଡାକଡି ପାଳନ କରି ନଥିଲେ। କମାପଲ୍ଲୀ ଆମିଷ ବଜାରରେ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା। ଅନ୍ୟାନ୍ୟ ସ୍ଥାନରେ ଲୋକେ ନିର୍ବିକାର ଭାବେ କାର ଓ ବାଇକରେ ଚଳପ୍ରଚଳ କରୁଥିଲେ। ତେବେ ଅପରାହ୍ନରେ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ପରିସ୍ଥିତିରେ ଉନ୍ନତି ଘଟିଥିଲା।
ଏପଟେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତାଙ୍କର ୩ ମାସର ଦରମା ବାବଦକୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। କରୋନା ମହାମାରୀର ଦୃଢ ମୁକାବିଲା ପାଇଁ ସହଯୋଗର ହାତ ବଢାଇବା ଲାଗି ସରକାରୀ କର୍ମଚାରୀମାନେ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।


















