ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ପାଇଁ ଏବେ ସବୁଠି କଟକଣା ଲାଗୁଥିବା ଦେଖାଯାଉଛି। ପୁରୀ ଜିଲ୍ଲା ଇନାୟତପୁର ଗାଁରେ ମଧ୍ୟ କରୋନା ପାଇଁ କଟକଣା ଜାରି କରିଛନ୍ତି ଗ୍ରାମବାସୀ। ଏଥିପାଇଁ ଗାଁ ପ୍ରବେଶ ପଥକୁ ବାଉଁଶ ପକାଇ ବନ୍ଦ କରିଛନ୍ତି ଗାଁ ଲୋକେ। ଗାଁ ଭିତରକୁ ବାହାର ଲୋକଙ୍କୁ ପ୍ରବେଶ କରାଇ ଦେବେ ନାହିଁ ବୋଲି ଶପଥ କରିଛନ୍ତି।
ଦେଶରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗାଁ ଲୋକେ ଏହି ପଦକ୍ଷେପ ନେଇଛନ୍ତି। ଗାଁରେ ବାହାର ଲୋକଙ୍କୁ ପୁରାଇ ଦେବେ ବୋଲି ଗାଁ ପ୍ରବେଶ ପଥରେ ପୋଷ୍ଟର ମାରିଛନ୍ତି। ଏହାସହ ବଜାରରୁ ଫେରୁଥିବା ଗାଁଲୋକଙ୍କୁ ସାବୁନରେ ହାତ ଧୁଆଇ ଗାଁ ଭିତରକୁ ପ୍ରବେଶ କରାଉଛନ୍ତି। ଯୁବଗୋଷ୍ଠୀ ଗାଁ ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେବା ସହ ସଫାସୁତୁରା ରହିବାକୁ ନିବେଦନ କରିଛନ୍ତି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏପ୍ରିଲ ୧୪ ତାରିଖ ଯାଏଁ ଲକ୍ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
















