ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେସନରେ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚତୁର୍ଥ ଆକ୍ରାନ୍ତଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଦୁବାଇରୁ କିଛିଦିନ ତଳେ ଆସିଥିଲେ। ତେବେ କେବେ ଆସିଥିଲେ କେମିତି ଆସିଥିଲେ ଏବଂ କାହା ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ରାଜ୍ୟ ସରକାର ଖୋଳତାଡ଼ କରୁଛନ୍ତି।
ପୂର୍ବରୁ ଓଡ଼ିଶାରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତିନି ଜଣ ଭୁବନେଶ୍ୱରର ହିଁ ଥିଲେ। ପ୍ରଥମ କରୋନା ଆକ୍ରାନ୍ତ ଓଡ଼ିଶାରେ ମାର୍ଚ୍ଚ ୧୫ରେ, ଦ୍ୱିତୀୟ ଆକ୍ରାନ୍ତ ୧୯ ଏବଂ ତୃତୀୟ ଆକ୍ରାନ୍ତ ୨୬ରେ ଚିହ୍ନଟ ହୋଇଥିଲେ।
ପ୍ରଥମ କରୋନା ଆକ୍ରାନ୍ତ ଇଟାଲୀରୁ ଆସିଥିବା ବେଳେ ଦ୍ୱିତୀୟ ଆକ୍ରାନ୍ତ ଆସିଥିଲେ ଇଂଲଣ୍ଡରୁ। ତୃତୀୟ କରୋନା ଆକ୍ରାନ୍ତ ଭୁବନେଶ୍ୱରର। ହେଲେ ସେ ଦିଲ୍ଲୀରୁ ଫେରିବା ପରେ ସେ ଅସୁସ୍ଥତା ଅନୁବ କରିଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।
ରାଜ୍ୟ ସରକାର ଗତକାଲି ଆଗାମୀ ୧୫ ଦିନ ଯାଏଁ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ସେହି ରାତିରେ ଚତୁର୍ଥ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ।
ପ୍ରଥମ ଆକ୍ରାନ୍ତଙ୍କ ବୟସ ୩୮ ହୋଇଥିବା ବେଳେ ଦ୍ୱିତୀୟ ଆକ୍ରାନ୍ତଙ୍କ ବୟସ ୧୯, ତୃତୀୟ ଆକ୍ରାନ୍ତଙ୍କ ବୟସ ୬୦ ଏବଂ ଚତୁର୍ଥ ଆକ୍ରାନ୍ତଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡ଼ିଛି।
ଏବେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି।


















