ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭଳି ମାରାତ୍ମକ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଲେ ବେଙ୍ଗାଲୁରୁର ଯୁବକ। ବେଙ୍ଗାଲୁରୁରେ ସେ ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ପ୍ରାୟ ୩ସପ୍ତାହ ଧରି ସେ କରୋନା ଆଇସୋଲେସନ ଓ୍ଵାର୍ଡରେ ରହିବା ପରେ ଘରକୁ ଫେରିଛନ୍ତି। କିଭଳି ଏହି ମାରାତ୍ମକ ରୋଗ ସହ ସଂଘର୍ଷ କରିଥିଲେ ସେନେଇ ନିଜ କାହାଣୀ କହିଛନ୍ତି।

“କରୋନା ଆଇସୋଲେସନ ଓ୍ଵାର୍ଡ ବହୁତ ଛୋଟ ଥିଲା। ଏଥିରେ ରହିବାକୁ ଅସହଜ ମନେ କରୁଥିଲି। ସଂକ୍ରମଣ ଭୟରେ ଖାଇବା ଦେବାକୁ ଆସୁଥିବା ବ୍ୟକ୍ତି ଓ୍ଵାର୍ଡକୁ ଆସୁନଥିଲା। ଏଥିପାଇଁ ବେଳେ ବେଳେ ଭୋକରେ ମଧ୍ୟ ଶୋଇବାକୁ ପଡ଼ିଛି। ତେବେ ମୁଁ ହାର ମାନି ନଥିଲି। ବିଶ୍ଵାସ ଥିଲା ମୁଁ ହିଁ ଜିତିବି।” ସମ୍ପୂର୍ଣ୍ଣ ଭଲ ହୋଇ ଫେରିବା ପରେ ଏହା କହିଛନ୍ତି ବେଙ୍ଗାଳୁରୁର ପ୍ରଥମ କରୋନା ଆକ୍ରାନ୍ତ।

ବେଙ୍ଗାଳୁରୁ ରାଜା ରାଜେଶ୍ଵରୀ ଅଞ୍ଚଳର ପି.କେ. ଭେଙ୍କଟ ରାଘବନ ଅଫିସ କାମରେ ମାର୍ଚ୍ଚ ମାସ ପହିଲାରେ ଆମେରିକା ଯାଇଥିଲେ। ସେଠାରୁ ସେ ଲଣ୍ଡନ ଦେଇ ଫରିଥିଲେ। ତେବେ ସେ ଫେରିବା ପରେ ତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଗଲା। ସେ ଠିକ୍ ଭାବରେ ନିଶ୍ୱାସ ନେଇ ପାରୁନଥିଲେ। ଏହାପରେ ସେ ସ୍ଥାନୀୟ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ ଚେଷ୍ଟ ଡିଜିସ ହସ୍ପିଟାଲକୁ ଏ ସମ୍ପର୍କରେ ଜଣାଇଥିଲେ। ଡାକ୍ତର ତାଙ୍କୁ ହୋମ କ୍ଵାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେବା ସହ ତାଙ୍କ ସ୍ଵାବ ନମୁନା ଟେଷ୍ଟ କରିବାକୁ ନେଇଥିଲେ। ଏହାପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଡାକ୍ତର ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ।

ଏନେଇ ରାଘବନ କହିଛନ୍ତି ଯେ, ମୋ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ମୁଁ ଖୁସୀ ଥିଲା। କାରଣ ମୁଁ ମୋ ପରିବାର ଲୋକଙ୍କୁ ଏହି ମାରାତ୍ମାକ ଭାଇରସ ସଂକ୍ରମଣ ହେବାକୁ ଦେଇନଥିଲି। ଆମେରିକାରୁ ଫେରିବା ପରେ ସେମାନଙ୍କଠାରୁ ଦୂରରେ ରହିବାକୁ ଚେଷ୍ଟା କରିଥିଲି।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ରାଘବନଙ୍କ ଏକ କରୋନା ଫାଇଲ ତିଆରି ହେଲା। ସେ କେଉଁ କେଉଁ ଯାଗାକୁ ଯାଇଥିଲେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଔଷଧ ଦିଆଯାଇ। ଆଇସୋଲେସନ ଓ୍ଵାର୍ଡକୁ ପଠାଗଲା।

ଆଇସୋଲେସନ ଓ୍ଵାର୍ଡରେ କେମିତି କଟିଥିଲା ଦିନ?

“ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି ହେବାପରେ ମୁଁ ନିଜକୁ ଭାରି ଏକୁଟିଆ ଅନୁଭବ କଲି। ସେତେବେଳେ ଲାଗୁଥିଲା ମୁଁ ଆଉ ଭଲ ହେଇପାରିବିନି। ଦେହରେ ୧୦୨ ଡିଗ୍ରୀ ତାପମାତ୍ରାରେ ଜ୍ଵର ରହୁଥିଲା। ରାତି ରାତି ଧରି ଅନିଦ୍ରା ରହିବାକୁ ପଡ଼ୁଥିଲା। କାରଣ ମୋ ସ୍ଵାସ୍ଥ୍ୟବସ୍ଥା ଖରାପ ଆହୁରି ଖରାପ ହେବାକୁ ଲାଗିଥିଲା। ତେବେ ସେ ଯାହା ହଉ, ଶେଷରେ ସବୁ ଠିକ୍ ହେଲା।” କହିଛନ୍ତି ଭେଙ୍କଟ ରାଘବନ।

ରାଘବନ ଏହି ସମୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ୟୁଟ୍ୟୁବ୍‌ରେ ଭିଡିଓ ସେୟାର କରିଥିଲେ। ବିଭିନ୍ନ ସୋସିଆଲ ମଡିଆରେ କରୋନା ସମ୍ପର୍କରେ ବାର୍ତ୍ତା ଦେଇଥିଲେ। କାରଣ ସେ ଚାହୁଁଥିଲେ ଲୋକେ ଏହି ମାରାତ୍ମକ ଭାଇରସକୁ ନେଇ ସଚେତନ ହୁଅନ୍ତୁ।

ସଚେତନ ଥିବା ସତ୍ତ୍ଵେ ହୋଇଥିଲେ ଆକ୍ରାନ୍ତ

“ମୁଁ କରୋନା ଭାଇରସକୁ ନେଇ ସଚେତନ ଥିଲି। ତେବେ କିଭଳି ମୁଁ ଏହି ଭାଇରସରେ ଆକ୍ରାନ୍ତ ହେଲି ଜାଣିନି।” କରୋନା ସଂକ୍ରମିତ ହେବାକୁ ନେଇ ଏହା କହିଛନ୍ତି ରାଘବନ।

ସେ ଆମେରିକାରୁ ଲଣ୍ଡନର ହିଥ୍ରୋ ବିମାନ ବନ୍ଦର ଦେଇ ଫେରିଥିଲେ। ସେଠାରେ ସାଧାରଣ ଶୌଚାଳୟ ବ୍ୟବହାର କରିବା ଯୋଗୁଁ ସେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରୁଛନ୍ତି। କିମ୍ବା କୌଣସି କରୋନା ଆକ୍ରାନ୍ତ ତାଙ୍କ ପାଖରେ ବସିବା ପରେ ସେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରୁଛନ୍ତି।

ଆମେ ଏହାର ମୁକାବିଲା କରିପାରିବା

କରୋନାରୁ ଭଲ ହେବା ପରେ ରାଘବନ କହିଛନ୍ତି ଯେ, ସାରା ବିଶ୍ଵରେ ମହାମାରୀ ରୂପ ନେଇଛି କରୋନା ଭାଇରସ। ସଂକ୍ରମିତ ବ୍ୟକ୍ତି ଏହାକୁ ନ ଡରି ସାମ୍ନା କଲେ ଏହି ଭାଇରସରୁ ଭଲ ହୋଇ ପାରିବେ। ଏଥିପାଇଁ ନିଜ ଉପରେ ଆତ୍ମବିଶ୍ଵାସ ରଖିବା ଆବଶ୍ୟକ। ଏହାସହ ଏନେଇ ଲୋକେ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ।

କରୋନା ଭଳି ମାରାତ୍ମକ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଲେ ବେଙ୍ଗାଲୁରୁର ଯୁବକ। ବେଙ୍ଗାଲୁରୁରେ ସେ ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ପ୍ରାୟ ୩ସପ୍ତାହ ଧରି ସେ କରୋନା ଆଇସୋଲେସନ ଓ୍ଵାର୍ଡରେ ରହିବା ପରେ ଘରକୁ ଫେରିଛନ୍ତି। କିଭଳି ଏହି ମାରାତ୍ମକ ରୋଗ ସହ ସଂଘର୍ଷ କରିଥିଲେ ସେନେଇ ନିଜ କାହାଣୀ କହିଛନ୍ତି।

Comment