ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ୱର କପିଳ ପ୍ରସାଦ ହାଉସିଂବୋର୍ଡ କଲୋନୀ ଫେଜ୍‌-୨ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ଲୋକଙ୍କ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ କିଛି ଅଞ୍ଚଳକୁ ସିଲ୍‌ କରାଯାଇଛି।

ବିଏମ୍‌ସି ୱାର୍ଡ ନମ୍ବର ୬୭ରେ ଯାଉଥିବା ସୁନ୍ଦରପଦା ଏବଂ କପିଳପ୍ରସାଦ ଏବରଙ୍ଗ ରାଜସ୍ୱ ଗ୍ରାମର କିଛି ଅଞ୍ଚଳ ସିଲ୍‌ କରାଯାଇଛି।

ସୁନ୍ଦରପଦା ମ୍ୟୁନିସିପାଲିଟି ଛକଠାରୁ କାଳୁଆଶୁଣି ମନ୍ଦିର ଏବଂ ସରକନ୍ତରା ନୂଆ କଲଭର୍ଟ ପର୍ଯ୍ୟନ୍ତ ରାସ୍ତା, କାଳୁଆଶୁଣି ମନ୍ଦିରଠୁ ଟାଟା ପ୍ରକଳ୍ପ ଏବଂ ଟାଟା ପ୍ରକଳ୍ପଠୁ ସରକନ୍ତର ନୂଆ କଲଭର୍ଟ ରାସ୍ତା ସିଲ୍‌ କରାଯାଇଛି।

ଏହି ଅଞ୍ଚଳକୁ ବିଏମ୍‌ସି ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ଯାତାୟତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ଅଞ୍ଚଳର କୌଣସି ଲୋକ ବଘରୁ ବାହାରି ପାରିବେ ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ ଏବଂ ଲୋକମାନେ ତାହା କିଣି ପାରିବେ ବୋଲି ବିଏମ୍‌ସି କହିଛି।

କପିଳପ୍ରସାଦ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଆଜି ଅପରାହ୍‌ଣରେ ଚିହ୍ନଟ ହୋଇଥିଲେ। ସେ ୨୨ ତାରିଖରେ ଅଷ୍ଟ୍ରେଲିଆରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ନୁମନା ପଜିଟିଭ୍‌ ଆସିଛି। ତାଙ୍କୁ ୭୦ ବର୍ଷ ବୟସ। ସେହିପରି ବମିଖାଲ ଅଞ୍ଚଳର ଆଉ ଜଣେ ଯୁବକଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ସେ ବି ରାଜ୍ୟ ବାହାରୁ ଆସିଥିବା ସରକାର ସୂଚନା ଦେଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

Comment