ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଏଣିକି ମାସ୍କ ନପିନ୍ଧିଲେ ଆପଣଙ୍କୁ ପେଟ୍ରୋଲ ପମ୍ପରେ ତେଲ ମିଳିବନି। କରୋନା ମୁକାବିଲା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।
ଶୁକ୍ରବାର ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମାସ୍କ ପିନ୍ଧିବା ନିୟମକୁ ଆଖି ଆଗରେ ରଖିବା ସହ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ଏଣିକି ଯେଉଁ ଗ୍ରାହକମାନେ ବିନା ମାସ୍କରେ ଗାଡ଼ିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପ ଆସିବେ ସେମାନଙ୍କୁ ତେଲ ମିଳିବ ନାହିଁ।

ସଂଘର ଏହି ଘୋଷଣା ପରେ ଆଜି ରାଜଧାନୀ ଭୁବନେଶ୍ୱର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକମାନେ ମାସ୍କ ପିନ୍ଧି ତେଲ ପକାଉଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ଲୋକ ମାସ୍କ ନପିନ୍ଧିବା ହେତୁ ତେଲ ନପକାଇ ପଟ୍ରୋଲ ଟାଙ୍କିରୁ ଫେରିଯାଇଥିଲେ।
ରାଜ୍ୟ ସରକାର ବର୍ତ୍ତମାନ ବାହାରକୁ ବାହାରିଲେ ଲୋକମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ନଚେତ୍ ସେମାନଙ୍କଠାରୁ ପ୍ରଥମ ତିନି ଥର ୨ଶହ ଟଙ୍କା ଲେଖାଏଁ ଓ ଏହାପରେ ୫ ଶହ ଟଙ୍କା ଫାଇନ୍ ଆଦାୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି।

















