ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦିଓ କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବିବୃତିରେ କହିଥିଲେ ଯେ, ଲକଡାଉନ ଯୋଗୁଁ ଫସିଥିବା ୨୦ ହଜାର ୪୭୩ ଜଣ ବିଦେଶୀ ନାଗରିକଙ୍କୁ ଏ ପର୍ଯ୍ୟନ୍ତ  ଉଦ୍ଧାର କରାଯାଇଛି, ତଥାପି ଆହୁରି ଅନେକ ବିଦେଶୀ ବିଭିନ୍ନ ରାଜ୍ୟରେ ଓ ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ବୋଲି ଖବର ମିଳିଛି। କେନ୍ଦ୍ର ପର୍ଯ୍ୟଟନ ବିଭାଗର କହିବା ଅନୁଯାୟୀ ହଜାର ହଜାର ବିଦେଶୀ ନାଗରିକ ଓ ପର୍ଯ୍ୟଟକ ଏବେ ବି ନିଜ ନିଜ ହୋଟେଲ ଭିତରେ ଅଟକିଛନ୍ତି। ଲକଡାଉନ ଯୋଗୁଁ ବାହାରକୁ ଆସିବାର କୌଣସି ଉପାୟ ସେମାନଙ୍କ ପାଖରେ ନାହିଁ।

coronaମାର୍ଚ୍ଚ ୩୧ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ପୋର୍ଟାଲ ଆରମ୍ଭ ହୋଇଥିଲା। ଏହି ପୋର୍ଟାଲ strandedinindia.comର ଉଦ୍ଦେଶ୍ୟ ହେଉଛି ଯେଉଁ ବିଦେଶୀମାନେ ଅଟକି ରହିଛନ୍ତି ସେମାନଙ୍କୁ ଖୋଜିବା ଓ ସେମାନଙ୍କୁ ସହାୟତା କରିବା। ପର୍ଯ୍ୟଟନ ମନ୍ତ୍ରାଳୟର ଡାଟା ଅନୁସାରେ ବିଗତ ୧୦ ଦିନ ମଧ୍ୟରେ ୧୨୦୦ ବିଦେଶୀ ଏହି ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଭିସା ଏକ୍ସପାୟରି, କର୍ଫ୍ୟୁ ପରମିଟ ବ୍ୟବସ୍ଥା ଓ ଉଦ୍ଧାର ପାଇଁ ନିୟୋଜିତ ଫ୍ଲାଇଟ ପର୍ଯ୍ୟନ୍ତ ପହଞ୍ଚାଇବା ଆଦି ବିଭିନ୍ନ ପ୍ରକାରର ଅନୁରୋଧ ବିଦେଶୀ ନାଗରିକମାନଙ୍କ ପାଖରୁ ଆସୁଛି। ଆଉ କିଛି ବିଦେଶୀ ନାଗରିକଙ୍କ ପକେଟ ଖାଲି ହୋଇଯାଇଥିବା ବେଳେ ଅନ୍ୟ କିଛି ବିଦେଶୀ ଅତ୍ୟାବଶ୍ୟକୀୟ ଔଷଧ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କ ଜରିଆରେ ଏହିସବୁ ସମସ୍ୟାର ସମାଧାନ କରାଯାଉଛି। ଯେଉଁମାନଙ୍କ ଅର୍ଥ ସରି ସରି ଆସୁଛି ସେମାନଙ୍କ ପାଇଁ କମ ପଇସାର ହୋଟେଲ ଯୋଗାଡ଼ କରିବା ମଧ୍ୟ ପର୍ଯ୍ୟଟନ ବିଭାଗର ବଡ଼ କାର୍ଯ୍ୟ ହୋଇ ଆସିଛି।

ଓଡ଼ିଶାରେ ଏଭଳି ଏକ ଘଟଣା ଉପରେ ମନ୍ତ୍ରାଳୟ ଆଲୋକପାତ କରିଛି। ନମିତା ସେଠୀ ଆମେରିକାର ବାସିନ୍ଦା ହୋଇଥିବା ବେଳେ ଲକଡାଉନ ଯୋଗୁଁ ସେ ଭୁବନେଶ୍ୱରରେ ଅଟକି ଯାଇଥିଲେ। ନିଜେ, ତାଙ୍କର ସ୍ୱାମୀ ଓ ଗୋଟିଏ ଛୁଆ ପାଇଁ ଟ୍ରାଞ୍ଜିଟ ପରମିଟ ଦିଆଯିବାକୁ ସେ ଅନୁରୋଧ କରିଥିଲେ। ତାଙ୍କରି ଅନୁରୋଧ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଯୋଗୁଁ ସେ ହାଇଦ୍ରାବାଦ ଯାଇ ନିର୍ଦ୍ଧାରିତ ସମୟରେ ତାଙ୍କ ରେସକ୍ୟୁ ଫ୍ଲାଇଟ ଧରପାରିଥିଲେ।

Comment