ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରାଦେଶରେ ଲକ୍ଡାଉନ ଘୋଷଣା ହୋଇଛି। ସମସ୍ତ ପ୍ରକାର ସୁଟିଂ ବନ୍ଦ ରହିଛି। ଫଳରେ ଫିଲ୍ମ ବା ସିରିଏଲ ପ୍ରଡକ୍ସନ ଟିମ୍ରେ କାମ କରୁଥିବା ଟେକ୍ନିସିଆନମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ସେମାନଙ୍କ ସହାୟତା ପାଇଁ ଗଣମାଧ୍ୟମ ଓ ମନୋରଞ୍ଜନ ଦୁନିଆର କିଛି ଆଗ ଧାଡ଼ିର ନିର୍ଦ୍ଦେଶକ ଓ ସଂସ୍ଥା ଆଗେଇ ଆସିଛନ୍ତି।
ଜି’ ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନ୍ସ ହାଉସର ମିଳିତ ଉଦ୍ୟମରେ ୪୮ଜଣ ଦୈନିକ ବେତନଧାରୀ ଟେକ୍ନିସିଆନମାନଙ୍କୁ ୧୫ଦିନ ଦରମା ଦିଆଯାଇଛି। ଏହାସହ ଏପ୍ରିଲ ୨୫ ତାରିଖ ସୁଦ୍ଧା ଆଉ ୧୫ ଦିନର ଦରମା ଯୋଗାଇ ଦିଆଯିବ। ଫଳରେ ଜି ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନ୍ସ ହାଉସ ସହ ଜଡ଼ିତ ସ୍ପଟ ବୟ, ଲାଇଟ ବୟ ଓ ଅନ୍ୟ କର୍ମଚାରୀମାନେ ଏଥିରେ ଉପକୃତ ହୋଇପାରିଛନ୍ତି।
“ଆମେ ଆମର ପ୍ରଡକ୍ସନ ହାଉସ ସହ କାମ କରୁଥିବା ସମସ୍ତ ଦୈନିକ ବେତନଧାରୀ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆମେ ପ୍ରତିଶୃତି ଦେଇଛୁ। ଭାରତ ତଥା ଓଡ଼ିଶାପାଇଁ ଏହା ଏକ ଜଟିଳ ସମୟ। ଏଭଳି ସ୍ଥିତିରେ ଜି’ ସାର୍ଥକର ଏଭଳି ଏକ ପଦକ୍ଷେପକୁ ଆମେ ହୃଦୟରୁ ସମର୍ଥନ କରିଛୁ।” କହିଛନ୍ତି ଅକ୍ଷୟ ପରିଜା ପ୍ରଡକ୍ସନ୍ସ ହାଉସର ନିର୍ଦ୍ଦେଶକ ଅକ୍ଷୟ ପରିଜା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ମଧ୍ୟ ଲକ୍ଡାଉନ ସମୟରେ ଆମ ପ୍ରଡକ୍ସନ୍ ହାଉସ ସହ ଜଡ଼ିତ ଦୈନିକ ବେତନଧାରୀ ଟେକ୍ନିସିଆନମାନଙ୍କୁ ଦିନକୁ ୨ଶହ ଟଙ୍କା ଯୋଗାଇ ଦେବୁ। କରୋନା ଭାଇରସର ମୁକାବିଲା ପାଇଁ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ଲକ୍ଡାଉନ ନିୟମ ମାନନ୍ତୁ।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ଯାଏଁ ସାରା ରାଜ୍ୟକୁ ଲକ୍ଡାଉନ ଘୋଷଣା କରାଯାଇଛି।