ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣର ପ୍ରକୃତ ସ୍ଥିତି କ’ଣ? କେତେ ଜିଲ୍ଲାରେ ଏହା ଗୁରୁତର ଓ କେଉଁ କେଉଁ ଜିଲ୍ଲାରେ ଏହାର ପ୍ରଭାବ ଆଦୌ ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ। ଏ ପର୍ଯ୍ୟନ୍ତ ଯାହା ସ୍ପଷ୍ଟ ହୋଇଛି ତାହା ହେଲା ଭଦ୍ରକ ଓ  ଖୋର୍ଦ୍ଧା ହେଉଛି ହଟ୍‌ସ୍ପଟ୍‌ ଜିଲ୍ଲା। ଓଡ଼ିଶା ସରକାରଙ୍କ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଖାଲି ସରକାରଙ୍କ ସଫଳତା ଓ ଗୁଣଗାନ  କରାଯାଉଥିବା ବେଳେ ବାସ୍ତବରେ ଦୂର ଦୂରାନ୍ତ ଜିଲ୍ଲାମାନଙ୍କରେ ଲୋକଙ୍କ ଅବସ୍ଥା କ’ଣ ସେନେଇ କୌଣସି ଅଧିକାରୀ କିଛି କହୁଥିବା ଦେଖାଯାଉନାହିଁ।

କରୋନା ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୈନନ୍ଦିନ ସୂଚନା ପ୍ରଦାନ କାର୍ଯ୍ୟକ୍ରମରେ ଆଜି ଗୋଟିଏ ଭଲ ଖବର ଆସିଛି। ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ କହିଥିଲେ ଯେ, ଦେଶର ୧୭ଟି ରାଜ୍ୟର ୨୭ ଜିଲ୍ଲାରେ ଗତ ୧୪ ଦିନ ଭିତରେ ଗୋଟିଏ ବି ନୂଆ କରୋନା ମାମଲା ସାମ୍ନାକୁ ଆସିନାହିଁ। ଖାଲି ସେତିକି ନୁହେଁ, ଦେଶର ୩୨୫ ଜିଲ୍ଲାରେ ମୂଳରୁ ଏ ପର୍ଯ୍ୟନ୍ତ କୌଣସି ମାମଲା ଆସିନାହିଁ। ଏହାର ଅର୍ଥ ହେଉଛି କରୋନା ମୁକ୍ତ ୩୨୫ ଜିଲ୍ଲା ଓ ନୂଆ ମାମଲା ଆସିନଥିବା ୨୭ ଜିଲ୍ଲା। ଏହିଭଳି ୩୫୨ ଜିଲ୍ଲାରୁ କିଛି ମାତ୍ରାରେ ଲକଡାଉନ ଉଠିବ। ଏପ୍ରିଲ ୨୦ ତାରିଖରୁ ଏହି କୋହଳ ବ୍ୟବସ୍ଥା ଲାଗୁ ହୋଇପାରେ।

ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଗତ ୧୪ ଦିନ ମଧ୍ୟରେ କର୍ଣ୍ଣାଟକର ୫ ଜିଲ୍ଲା, ଛତିଶଗଡ଼ର ୩,ଗୁଜରାଟ, ତେଲେଙ୍ଗାନା ଓ କେରଳର ଦୁଇଟି ଲେଖାଏଁ ଜିଲ୍ଲାରେ କୌଣସି କରୋନା  ରୋଗୀ ଚିହ୍ନଟ ହୋଇନାହାନ୍ତି। ସେହିଭଳି ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଗୋଆ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଜମ୍ମୁ କଶ୍ମୀର, ମଣିପୁର, ପୁଡୁଚେରୀ, ମିଜୋରାମ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶରେ ଗୋଟିଏ ଲେଖାଏଁ ଜିଲ୍ଲା ରହିଛ ଯେଉଁଠି ନୂଆ କେସ୍‌ର ସନ୍ଧାନ ମିଳିନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାରେ କିନ୍ତୁ  ଓଡ଼ିଶାର କୌଣସି ଜିଲ୍ଲା ନାହିଁ। ସ୍ୱାଭାବିକ ଭାବରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରକୃତରେ ଓଡ଼ିଶାର ୩୦ଟି ମଧ୍ୟରୁ କେତୋଟି ଜିଲ୍ଲାରେ କରୋନାର ଆଦୌ କୌଣସି ପ୍ରଭାବ ଦେଖିବାକୁ ମିଳିନି, କେତୋଟି ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ ଗୋଟିଏ ବି ନୂଆ ମାମଲା ଆସିନାହିଁ ଏବଂ କେଉଁ କେଉଁ ଜିଲ୍ଲାକୁ ୨୦ ତାରିଖ ପରେ ରିହାତି ମିଳିପାରେ ସେ ସମ୍ପର୍କରେ ଜନସାଧାରଣ ସମ୍ପୂର୍ଣ୍ଣ ଅନ୍ଧାର ଭିତରେ ରହିଛନ୍ତି।

coronaଓଡ଼ିଶାରେ ସମସ୍ତ ୩୦ ଜିଲ୍ଲାରେ  ମାର୍ଚ୍ଚ ୨୨ ତାରିଖରେ  ଲକଡାଉନ ଘୋଷଣା କରାଯାଇଥିଲା। ତା’ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ଲକଡାଉନ ଘୋଷଣା କଲେ। ଇତି ମଧ୍ୟରେ ଲକଡାଉନକୁ ୨୨ ବିତି ଯାଇଥିଲେ ହେଁ ରାଜ୍ୟରେ ଆଗାମୀ ଦିନରେ କିଭଳି ଜୀବନ ଯାତ୍ରା ସ୍ୱାଭାବିକ ହେବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି ଆଖିରେ ପଡୁନାହିଁ।

Comment