ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

corona testକୌଣସି ଆଗୁଆ ଲକ୍ଷଣ ନଥାଇ କରୋନା ରୋଗୀମାନେ ଜଣକ ପରେ ଜଣେ ସାମ୍ନାକୁ ଆସୁଥିବାରୁ ରାଜ୍ୟର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଥିରେ ଅଡୁଆରେ ପଡିଛନ୍ତି। ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ବା ଆଇସୋଲେସନରେ ରହିବା ପରେ ମଧ୍ୟ ଚିହ୍ନଟଙ୍କ ଭିତରେ କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ଏହା ସରକାରଙ୍କ କରୋନା ପରିଚାଳକମାନଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି। ଏଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ  ରୋଗର ସଂଜ୍ଞାକୁ ପୁନଃ ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି କହିଛନ୍ତି ଜଣେ ବିଶେଷଜ୍ଞ।

ଅଜଣା ରୋଗ

ଓଡ଼ିଶାରେ ଏ ପର୍ଯ୍ୟନ୍ତ ଯେତେ ସବୁ କୋଭିଡ-୧୯ ମାମଲା ପଦାକୁ ଆସିଛି, ସେଥିମଧ୍ୟରୁ ଅନେକ କେସ୍‌ରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଉନାହିଁ। ଅର୍ଥାତ, ପରବର୍ତ୍ତୀ ସମୟରେ ଏମାନଙ୍କଠାରୁ ଅନ୍ୟକୁ ଓ ଅନ୍ୟମାନଙ୍କଠାରୁ ତୃତୀୟ ପିଢ଼ିକୁ ରୋଗ ଡେଇଁବାର ଅନେକ ସମ୍ଭାବନା ରହିଛି। ହୁଏତ ଘର ଲୋକେ ଓ ସାହି ପଡିଶା ବା ସାଙ୍ଗସାଥୀ ଜାଣିନଥିବେ, କିନ୍ତୁ କରୋନା ପଜିଟିଭ ବ୍ୟକ୍ତିଙ୍କଠାରୁ ସେମାନେ ରୋଗକୁ କିଣିନେଇ ସାରିଥିବେ। ଭୁବନେଶ୍ୱରରେ ଏହାହିଁ ଦେଖାଦେଇଛି।

ଗୋଷ୍ଠୀ ସଂକ୍ରମଣ ନାହିଁ!

ଅବଶ୍ୟ ଗୋଟିଏ ଭଲ କଥା ହୋଇଛି ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ଯେତେ ସବୁ ନମୁନା ପରୀକ୍ଷା ହୋଇଛି ସେଥିମଧ୍ୟରୁ ମାତ୍ର ୧.୦୮ ପ୍ରତିଶତ ମାମଲା ହିଁ ପଜିଟିଭ ବାହାରିଛି, ଯାହାର ଅର୍ଥ ଗୋଷ୍ଠୀ ସଂକ୍ରମଣକୁ ପୂରାପୂରି ଦୂରେଇ ରଖା ଯାଇପାରିଛି। କିନ୍ତୁ ପ୍ରାଥମିକ ଅବସ୍ଥାରେ ଲକ୍ଷଣ ଯେହେତୁ ପ୍ରକାଶ ପାଉନାହିଁ ଏହା ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଯଦି ତାହା ହୁଏ ସରକାରଙ୍କ ଯାବତୀୟ ପ୍ରତିଷେଧ ମୂଳକ ପଦକ୍ଷେପର କୌଣସି ମାନେ ହିଁ ରହିବ ନାହିଁ।

ଭ୍ରମଣ ଇତିହାସ

କରୋନା ଆସିବା ପରଠାରୁ ଓଡ଼ିଶାରେ ପ୍ରାୟତଃ ଗୋଟିଏ  କଥା ଦେଖା ଯାଇଛି ଯେ ଯେଉଁମାନେ ବିଦେଶ ଗସ୍ତରେ ଯାଇଥିଲେ ଅଥବା ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନେ ହିଁ କରୋନା ଭୂତାଣୁର ବାହକ ସାଜିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ହେଉଛନ୍ତି ଭୁବନେଶ୍ୱର ବାସିନ୍ଦା। ଲକ୍ଷଣ ଦେଖାଯାଉ ନଥିବା ମାମଲା ସାମ୍ନାକୁ ଆସିଲା ଯେତେବେଳେ ସରକାର ବିଦେଶ ଫେରନ୍ତାଙ୍କୁ ନେଇ ବ୍ୟାପକ ପରୀକ୍ଷା ଆରମ୍ଭ କଲେ। ସତକୁ ସତ ଦେଖାଗଲା ଯେଉଁମାନଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି ସେମାନେ ହିଁ ପଜିଟିଭ ବାହାରିଛନ୍ତି। ଅନ୍ୟଥା ନୁହେଁ।

stop corona 11ତଳକୁ ଖସିବ?

ଜାତୀୟ ହେଲ୍‌ଥ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ  ଓଡ଼ିଶାରେ ଯେତେ ସବୁ ସକାରାତ୍ମକ କରୋନା ମାମଲା ଆସିଛି ତାହା ଦେଶରେ ସବୁଠାରୁ କମ। ପଣ୍ଡିତ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଯେଉଁମାନଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି ଓ ସେମାନେ ଯାହା ଯାହା ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ଠାବ କରିବା। ପଜିଟିଭ କେସ୍‌ ଏ ଯାଏଁ ଦୁଇ ପ୍ରତିଶତରୁ କମ ରହିଥିବାରୁ  ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ସେ ଆଶାବାଦୀ।

ପଣ୍ଡିତ-ପଣ୍ଡିତ ମତାନ୍ତର

ଶାଳିନୀ ପଣ୍ଡିତଙ୍କ ଏହି ମନ୍ତବ୍ୟରେ ସ୍ୱାସ୍ଥ୍ୟ ପଣ୍ଡିତମାନେ କିନ୍ତୁ  ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେମାନଙ୍କ ମତ ହେଉଛି ଯେ, ଓଡ଼ିଶାରେ ଯେତିକି ପରିମାଣରେ ଟେଷ୍ଟ ହେବା କଥା ତାହା ହେଉନାହିଁ। ଏବେ ରାଜ୍ୟରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୨୩ଜଣଙ୍କୁ ଟେଷ୍ଟ କରାଯାଉଛି, ଯାହାକି ସମୁଦ୍ରକୁ ଶଙ୍ଖେ ଭଳି। ଏଣୁ ଆହୁରି ଅଧିକ ଟେଷ୍ଟ କରିବା ସହିତ ଯେଉଁ ଅଞ୍ଚଳରେ ବାରମ୍ବାର ପଜିଟିଭ କେସ ବାହାରୁଛି ସେହି ସବୁ ଅଞ୍ଚଳରେ କଣ୍ଟେନମେଣ୍ଟ ବା ଅବରୋଧ ଆହୁରି ଜୋରଦାର ହେବା ଦରକାର ବୋଲି ବିଶେଷଜ୍ଞମାନଙ୍କ ମତ।

Comment