ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁଧିଆନାର ଜଣେ ଏସିପି ଏବଂ ଆଉ ଜଣେ ପୋଲିସ କର୍ମଚାରୀ ଇନ୍ଦୋରରେ ପ୍ରାଣ ହରାଇଥିବା କାରଣରୁ ରାଜଧାନୀ ଭୁବନେଶ୍ୱରର ପୋଲିସ କର୍ମଚାରୀ ଅଧିକ ସଚେତନ ହୋଇଛନ୍ତି। ଏହାର ଫଳ ସ୍ୱରୂପ ରବିବାର ଦିନ ଅନେକ ପୋଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ପ୍ରାୟ ୨୦୦ କର୍ମଚାରୀଙ୍କଠୁ ସ୍ୱାବ ନିଆଯାଇ ସଂପୃକ୍ତ ଟେଷ୍ଟିଙ୍ଗ ଲ୍ୟାବକୁ ପଠାଯାଇଛି। ତେବେ ସୋମବାର ରାତି ସୁଦ୍ଧା ରିପୋର୍ଟ ଆସିନଥିବା ଜଣାପଡିଛି।
ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ମିଶି କମିସନରେଟ ପୋଲିସ ପକ୍ଷରୁ ଏହି ଗଣ ପରୀକ୍ଷା ଆୟୋଜିତ ହୋଇଥିଲା। ବିଶେଷକରି ଯେଉଁ ପୋଲିସ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ନିୟୋଜିତ ଅଛନ୍ତି ସେମାନଙ୍କ ଟେଷ୍ଟ କରାଯାଇଛି। ରାଜଧାନୀରେ କରୋନା ପଜିଟିଭ କେସ୍ ବାହାରିବା ପରଠାରୁ କମିସନରେଟ ପୋଲିସ ଉପରେ ଚାପ ଭୀଷଣ ଭାବେ ବଢିଯାଇଛି।
ଓଡ଼ିଶାର ମୋଟ କରୋନା ମାମଲା ଭିତରୁ କେବଳ ରାଜଧାନୀରେ ହିଁ ୮୦ ଭାଗ ରୋଗୀ ଚିହ୍ନଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କରୋନା ପାଇଁ ଅହରହ ପୋଲିସ କର୍ମଚାରୀ ନିଜ ପରିବାରକୁ ପଛରେ ପକାଇ କାମ କରୁଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପ୍ରଶଂସା କରିଥିଲେ।

















