ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆସନ୍ତା ମେ’ ୩ ତାରିଖରେ ଶେଷ ହେବ ଲକ୍‌ଡାଉନ୍‌। ବାହାର ରାଜ୍ୟରେ ରହିଥିବା ଓଡ଼ିଆ ଲୋକ ଗାଁକୁ ଫେରିବା ପାଇଁ ବ୍ୟାକୁଳ ହେଲେଣି। ବାହାର ରାଜ୍ୟର ଲୋକଙ୍କ ପାଇଁ ପଞ୍ଜୀକରଣ ଚାଲିଛି। କେନ୍ଦ୍ରାପଡ଼ାରେ ବର୍ତ୍ତମାନସୁଦ୍ଧା ୬୮ ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

ରାଜ୍ୟର ଅନ୍ୟତମ ଦାଦନ ପ୍ରବଣ ଜିଲ୍ଲା ଭାବେ କେନ୍ଦ୍ରାପଡାର ପରିଚୟ ରହିଛି। ଏହି ଜିଲ୍ଲାରୁ ହଜାର ହଜାର ଲୋକେ ସାରା ବିଶ୍ୱରେ ପାଣିପାଇପ୍ ଶ୍ରମିକ ଭାବେ କାମ କରୁଛନ୍ତି। ଏହା ଛଡା ଜିଲ୍ଲାର ହଜାର ହଜାର ଯୁବକ ଗୁଜୁରାଟର ବୟନ ଶିଳ୍ପ ସଂସ୍ଥାମାନଙ୍କରେ ଶ୍ରମିକ ଭାବରେ କାମ କରନ୍ତି। ଭାରତର ବିଭିନ୍ନ ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଲୋକମାନଙ୍କର ଉପସ୍ଥିତି ରହିଛି। ବିଶେଷକରି ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ, ଜାମ୍ମୁ କାଶ୍ମୀର, ତାମିଲନାଡୁ , କେରଳ, ଆନ୍ଧ୍ର, କଲିକତା , ପଞ୍ଜାବ, ହରିଆନା, ହିମାଚଳପ୍ରଦେଶ ଆଦି ରାଜ୍ୟରେ ଏମାନଙ୍କ ସଂଖ୍ୟା ବହୁ ଅଧିକ।

କରୋନା ଆସିବା ପରେ ଏମାନେ ଘରକୁ ଫେରିବା ଆରମ୍ଭ କରିଥିଲେ। ଲକଡାଉନ ଜାରି ହେବାରୁ ଏମାନେ ନିଜନିଜ କର୍ମଭୂମିରେ ଅଟକି ଯାଇଛନ୍ତି। ଏହି ସବୁ ରାଜ୍ୟରେ କଳକାରଖାନା ବନ୍ଦ ହୋଇଯିବାରୁ, ଏମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଅନେକଙ୍କ ନିକଟରେ ଖାଇବାକୁ ପଇସା ନାହିଁ। ସେଠାକାର ସରକାର ଏମାନଙ୍କୁ ଠିକ ଭାବରେ ଖାଇବାକୁ ଦେଉନଥିବା ଏମାନେ ଅଭିଯୋଗ କରିଆସୁଛନ୍ତି। ହେଲେ ଏମାନଙ୍କ ଅଭିଯୋଗର ସମାଧାନ ହୋଇପାରୁନି। ପରରାଜ୍ୟରେ ଦୁଃଖ କଷ୍ଟରେ ଜୀବନ କାଟୁଥିବା ଏହି ଶ୍ରମିକମାନେ ଏବେ ଘରକୁ ଆସିବାକୁ ଗୋଡ ଟେକି ବସିଛନ୍ତି।

ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କର ନାମ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ ହେଉଛି। ଏହାଛଡା ଗ୍ରାମପଞ୍ଚାୟତମାନଙ୍କରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ ଆଜି ଅପରାହ୍ନ ୨ଟା ସୁଦ୍ଧା ଜିଲ୍ଲାରେ ୬୮ ହଜାର ୫୬୭ଜଣ ଲୋକ କେନ୍ଦ୍ରାପଡା ଜିଲ୍ଲାକୁ ଫେରିବାକୁ ପଞ୍ଜୀକରଣ କରିସାରିଲେଣି। ଏଥିରେ ଶ୍ରମିକ ଓ ସେମାନଙ୍କର ପରିବାରର ସଦସ୍ୟ ଅନ୍ତର୍ଭୁକ୍ତ। ଏହାଛଡା ରାଜସ୍ଥାନର କୋଟାଠାରେ ଶତାଧିକ ଛାତ୍ରଛାତ୍ରୀମାନେ ଏଥିରେ ପଞ୍ଜୀକରଣ କରିଥିବା ଜଣାପଡିଛି।

ମିଳିଥିବା ତଥ୍ୟ ଅନୁସାରେ ଆଳି ବ୍ଲକରେ ୫୫୨୨ ଜଣ ଶ୍ରମିକ ଓ ୪୭୪୫ ଜଣ ସେମାନଙ୍କ ପରିବାର , ଡେରାବିଶରେ ୨୨୪୫ ଶ୍ରମିକ ଓ ୧୪୯୦ ସେମାନଙ୍କ ପରିବାର, ଗରଦପୁରରେ ୨୦୦୯ ଶ୍ରମିକ ଓ ୧୨୪୪ ସେମାନଙ୍କ ପରିବାର, କେନ୍ଦ୍ରାପଡାରେ ୩୧୨୦ ଶ୍ରମିକ ଓ ୨୫୮୮ ସେମାନଙ୍କ ପରିବାର, ମହାକାଳପଡାରେ ୪୯୫୨ ଶ୍ରମିକ ଓ ୩୫୮୬ ସେମାନଙ୍କ ପରିବାର, ମାର୍ଶାଘାଇରେ ୨୯୮୬ ଶ୍ରମିକ ଓ ୨୨୮୩ ସେମାନଙ୍କ ପରିବାର , ପଟ୍ଟାମୁଣ୍ଡାଇରେ ୬୯୧୧ ଶ୍ରମିକ ଓ ୪୯୦୭ ସେମାନଙ୍କ ପରିବାର, ରାଜକନିକାରେ ୫୭୮୦ ଶ୍ରମିକ ଓ ୪୧୭୭ ସେମାନଙ୍କ ପରିବାର, ରାଜନଗରରେ ୫୫୮୫ ଶ୍ରମିକ ଓ ୩୨୦୯ ସେମାନଙ୍କ ପରିବାର, ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୪୫ ଶ୍ରମିକ ଓ ୫୬୨ ସେମାନଙ୍କ ପରିବାର, କେନ୍ଦ୍ରାପଡା ପୌରାଞ୍ଚଳରେ ୨୦୮ ଓ ୨୧୩ ସେମାନଙ୍କ ପରିବାର ଲୋକେ ପରରାଜ୍ୟରୁ ଫେରିବାକୁ ପଞ୍ଜୀକରଣ କରିଥିବା ସୂଚନା ମିଳିଛି।

ପଞ୍ଜୀକରଣ ଅବଧି ଆସନ୍ତା ୩୦ ତାରିଖ ଥିବାରୁ ପଞ୍ଜୀକରଣ ସଂଖ୍ୟା ଆହୁରି ଯଥେଷ୍ଟ ଅଧିକ ବଢିବାର ସଙ୍କେତ ମିଳିଲିଣି। ପ୍ରତି ଘଣ୍ଟାରେ ପଞ୍ଜୀକରଣ ପୋର୍ଟାଲରେ  ୧ ହଜାରରୁ ଅଧିକ ଲୋକେ ଏଥିରେ ଯୋଡି ହେବାରେ ଲାଗିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରାପଡା ଫେରିବାକୁ ଥିବା ଏହି ସବୁ ରାଜ୍ୟ ମାନଙ୍କରେ କରୋନା ଅଧିକ ମାତ୍ରାରେ କାୟା ବିସ୍ତାର କରିଛି। କେବଳ କଲିକତାରୁ ଅଳ୍ପ କେତେକ ଫେରନ୍ତାଙ୍କ ପାଇଁ ସାରା ରାଜ୍ୟ କରୋନା ପଜିଟିଭରେ ଉଠୁଛି ପଡୁଛି। ତେବେ ଏତେ ସଂଖ୍ୟାରେ କରୋନା ସଂକ୍ରମିତ ରାଜ୍ୟମାନଙ୍କରୁ ଫେରିବାକୁ ଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାନଗଲେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି।

ଜିଲ୍ଲାରେ ଏକ ମାସରୁ ଅଧିକ ସମୟ ମଧ୍ୟରେ ଏପର୍ଯ୍ୟନ୍ତ ୨୪୨୪୧ଟି ସଙ୍ଗରୋଧ ଶଯ୍ୟା ପ୍ରସ୍ତୁତ ହୋଇପାରିଛି। ତେବେ ଏତେ ସଂଖ୍ୟାରେ ଶ୍ରମିକ ଓ ସେମାନଙ୍କ ପରିବାର ଲୋକମାନେ ଯଦି ହଠାତ ଜିଲ୍ଲାରେ ପହଞ୍ଚିଯିବେ, ସେମାନଙ୍କ ପାଇଁ ରହିବାର ବ୍ୟବସ୍ଥା ଉପରେ ପ୍ରଶାସନ ଅଧିକ ଧ୍ୟାନ ଦେବା ଜରୁରୀ ହୋଇ ପଡିଛି। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିସାରିଛନ୍ତି। ତେଣୁ ଏହି ସରପଞ୍ଚମାନେ ନିଜନିଜ ପଞ୍ଚାୟତକୁ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଆକଳନ କରି ଆବଶ୍ୟକୀୟ ବ୍ୟବସ୍ଥା କରିବା ଉଚିତ୍।

Comment