ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ୩୦ ଜିଲ୍ଲାରୁ ୧୪ ଜିଲ୍ଲାରେ ଆତଙ୍କ ଖେଳାଇଛି କରୋନା ଭାଇରସ୍‌।

ଓଡ଼ିଶାରେ ଏବେ କରୋନା ଡର। ଜିଲ୍ଲାରୁ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ଭାଇରସ୍‌। ଓଡ଼ିଶାର ୩୦ ଜିଲ୍ଲାରୁ ଆଜିସୁଦ୍ଧା ୧୪ ଜିଲ୍ଲାକୁ ଛୁଇଁଲାଣି କରୋନା। ଏବେ ୧୪ ଜିଲ୍ଲାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଥିବା ଏହି ଭାଇରସ୍‌ ଏବେ ୧୪ ଜିଲ୍ଲାରେ ପ୍ରବେଶ କଲାଣି। ୧୪ ଜିଲ୍ଲାରେ ୧୨୨ ଜଣଙ୍କୁ ଆକ୍ରାନ୍ତ କରି କରୋନା ଆତଙ୍କ ଖେଳାଇଛି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ

ମାର୍ଚ୍ଚ ୧୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ କରୋନା ପାଦ ଦେଇଥିଲା। ଇଟାଲି ଫେରନ୍ତା ଜଣେ ଯୁବକଙ୍କ ଦେହରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ୪୭ ଜଣଙ୍କୁ ଆକ୍ରାନ୍ତ କରିଥିଲା ଏହି ଭାଇରସ୍‌। ବର୍ତ୍ତମାନ ସୁଦ୍ଧା ୨୭ ଜଣ ସୁସ୍ଥ ହେଲେଣି। ହେଲେ ରାଜଧାନୀବାସୀଙ୍କ ମନରୁ କରୋନା ଭୟ ଦୂର ହୋଇନି। ଗତ ୧୪ ତାରିଖରୁ ଭୁବନେଶ୍ୱରରେ ଗୋଟିଏ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ଆଜି ଜଣେ ବୃଦ୍ଧ କରୋନା ଜାଲରେ ପଡ଼ିଛନ୍ତି। ସେ ୪୧ ନମ୍ବର ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ଜୋନରେ ରହିଥିଲା।

ଜିଲ୍ଲାରୁ ଜିଲ୍ଲାକୁ ଡେଇଁଲା କରୋନା

କରୋନା ଭାଇରସ୍‌ ଭୁବନେଶ୍ୱରରେ ଜଣକ ପରେ ଜଣକୁ ଆକ୍ରାନ୍ତ କରିବା ପରେ ଭଦ୍ରକରେ ପ୍ରବେଶ କରିଥିଲା। ଏହି ଜିଲ୍ଲାରେ ପ୍ରଥମେ ଜଣେ ଓ ପରେ ଦୁଇ ଜଣ ଚିହ୍ନଟ ହୋଇଥିଲେ। ଫଳରେ ଭଦ୍ରକ ବି ହଟସ୍ପଟ ଜୋନ୍‌ରେ ରହିଥିଲା। ଏବେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଏପ୍ରିଲ ପ୍ରଥମ ସପ୍ତାହରେ ୩ ଆକ୍ରାନ୍ତ ଥିବା ଭଦ୍ରକରେ ଏବେ ୧୯ ଜଣ ଚିହ୍ନଟ ହେଲେଣି। ସେମାନଙ୍କ ଭିତରୁ ଅଧିକାଂଶ ଆକ୍ରାନ୍ତ କୋଲକାତାରୁ ଫେରିଥିବା ଜଣାପଡ଼ିଛି।

ଭଦ୍ରକ ପରେ କରୋନା କଟକ, ପୁରୀ, କେନ୍ଦ୍ରାପଡ଼ା, କଳାହାଣ୍ଡିରେ ପ୍ରବେଶ କରିଥିଲା। କଟକ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଦୁଇ ଆକ୍ରାନ୍ତ ନିଜାମୁଦିନରୁ ଫେରିଥିଲେ। ଏବେ ଏମାନେ ସୁସ୍ଥ। କେନ୍ଦ୍ରାପଡ଼ାର ଦୁଇ ଆକ୍ରାନ୍ତଙ୍କ ଭିତରୁ ଜଣେ ସୁସ୍ଥ ହୋଇଥିବା ବେଳେ କଳହାଣ୍ଡିରୁ ଦୁଇ ଜଣ ସୁସ୍ଥ ହୋଇଛନ୍ତି।

ଯାଜପୁରର ବ୍ରହ୍ମବରଦା ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କର ନିଜାମୁଦ୍ଦିନ ଲିଙ୍କ ଥିଲା। ସେ ସୁସ୍ଥ ହେବା ପରେ କୋଲକାତା ଫେରନ୍ତାଙ୍କଠାରୁ ଭୂତାଣୁ ଚିହ୍ନଟ ହୋଇଥିଲା। ଏବେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।

ଗତ ୧୭ ତାରିଖ ଯାଏଁ ବାଲେଶ୍ୱର ଜିଲ୍ଲା ସୁରକ୍ଷିତ ହୋଇଥିଲା। ହେଲେ ନେଳିଆବାଗ ଅଞ୍ଚଳରୁ ଜଣେ ୫୮ ବର୍ଷୀୟ ରୋଗୀ ଚିହ୍ନଟ ହେବା ପରେ ଏହି ଜିଲ୍ଲାର ସ୍ଥିତି ଅଣାୟତ୍ତ। ଏହି ଜିଲ୍ଲାରୁ ଏବେ ୧୯ ଆକ୍ରାନ୍ତ ଚିହ୍ନଟ ହେଲେଣି।

ସୁନ୍ଦରଗଡ଼ ଜିଲ୍ଲା ବି କରୋନା କବଳରୁ ବର୍ତ୍ତିନି। ପ୍ରଥମେ ବିଶ୍ରାରୁ ଦୁଇ ଜଣ ରୋଗୀ ଚିହ୍ନଟ ହେବା ପରେ ଏବେ ଇସ୍ପାତ ନଗରୀ ରାଉରକେଲାରେ ପ୍ରବେଶ କରିଛି କରୋନା ଭାଇରସ୍‌। ବର୍ତ୍ତମାନ ସୁନ୍ଦରଗଡ଼ରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନାର ନୂଆ ଠିକଣା

ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଓ ସୁନ୍ଦରଗଡ଼ରେ ଆତଙ୍କ ଖେଳାଇଥିବା କରୋନା ଦକ୍ଷିଣ ଓଡ଼ିଶାକୁ ଛୁଇଁଛି। କୋରାପୁଟ ଦଶମନ୍ତପୁର ବ୍ଲକର ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହେବା ପରେ ଏହି ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ଭୟ ଦେଖାଦେଇଛି।

କୋରାପୁଟ ପରେ ଆଜି ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତମାନେ କୋଲକାତା ଫେରନ୍ତା ବୋଲି ରାଜ୍ୟ ସରକାର କହିଛନ୍ତି।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲରେ

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିଛନ୍ତି। ହେଲେ ଏଥିପ୍ରତି ଅଧିକ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘‘ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛି। ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୂରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ। ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇପାରେ। ଏହା ହେଉଛି ଜୀବନ ଓ ମୃତ୍ୟୁର କଥା। ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁଁ ସମସ୍ୟା ୧୦୦ ଗୁଣ ବଢିଯିବ।’’

corona testପଶ୍ଚିମବଙ୍ଗରୁ ଅଧା ଆକ୍ରାନ୍ତ

ବର୍ତ୍ତମାନ ଓଡ଼ିଶାରେ ୧୨୫ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେଥିମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରୁ ଅଧା ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଯାଜପୁର, ଭଦ୍ରକ, ବାଲେଶ୍ୱରରେ ଜଣକ ପରେ ଜଣେ ପଶ୍ଚିମବଙ୍ଗ ଫେରନ୍ତାଙ୍କଠାରୁ କରୋନା ଭୁତାଣୁ ଚିହ୍ନଟ ହେଉଥିବା ବେଳେ କୋରାପୁଟ, ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝରରୁ ଯେଉଁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି ସେମାନଙ୍କର ବି କୋଲକାତା ଲିଙ୍କ ରହିଛି।

‘‘ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦। ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ। ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। ଯଦି ଲୋକମାନେ ସରକାରଙ୍କୁ ସହଯୋଗ କରିବେ ତାହାଲେ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

Comment