ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦୀର୍ଘଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଛି କରୋନା। ବୁଧବାର ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧୯ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏହି ଆକ୍ରାନ୍ତ ଜଣକ ୪୧ ନମ୍ବର ଆକ୍ରାନ୍ତଙ୍କର ସମ୍ପର୍କୀୟ। ତେଣୁ ତାଙ୍କଠାରୁ ସେ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଏହି ନୂଆ ଆକ୍ରାନ୍ତ ଜଣକ ପୁରୁଷ ହୋଇଥିବାବେଳେ ତାଙ୍କର ବୟସ ୭୭ ବର୍ଷ ବୋଲି ଜଣାପଡ଼ିଛି।

ଭୁବନେଶ୍ୱରକୁ ଦୁଇ ଦିନ ପାଇଁ ସଟଡାଉନ୍ ଘୋଷଣା କରିବା ପରେ ସେହିଦିନଠାରୁ ଆଉ କୌଣସି ପଜିଟିଭ୍ ଚିହ୍ନଟ ହୋଇନଥିଲା। ଯାହାକି ପ୍ରଶାସନକୁ ଅଳ୍ପ କିଛିଟା ଆଶ୍ୱସ୍ଥି ପ୍ରଦାନ କରିଥିଲା। ତେବେ ରାଜଧାନୀରେ ପୁଣି ପଜିଟିଭ୍ ଚିହ୍ନଟ ହେବା ଏବେ ପ୍ରଶାସନର ନିଦ ହଜାଇଦେଇଛି। ଆକ୍ରାନ୍ତ ଜଣକର କଣ୍ଟାକ୍ଟ ଟ୍ରେସିଙ୍ଗ୍ ଜାରି ରହିଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ସଦ୍ଧା ରାଜ୍ୟରେ ମୋଟ ୧୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment