ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମେ’ ୧୭ ଯାଏଁ ଲକ୍‌ଡାଉନ୍‌
  • ଗ୍ରୀନ ଜୋନରେ ଚାଲିବ ବସ୍‌
  • ଧାର୍ଯ୍ୟ ସିଟ୍‌ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ବସ୍‌
  • ଅରେଞ୍ଜ ଜୋନରେ ଜଣେ ଯାତ୍ରୀଙ୍କୁ ନେଇ ଚାଲିବ କ୍ୟାବ୍‌
  • ଓଡ଼ିଶାରେ ୨୧ଟି ଜିଲ୍ଲା ଗ୍ରୀନ ଜୋନ୍‌, ୬ଟି ଅରେଞ୍ଜ ଜୋନ୍‌ ଓ ୩ଟି ଜିଲ୍ଲା ରେଡ୍‌ ଜୋନ୍‌

କେନ୍ଦ୍ର ସରକାର ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରିଛନ୍ତି। ମେ’ ୧୭ ଯାଏଁ ଲକ୍‌ଡାଉନ୍‌ ରହିବ ଦେଶ। ଏହି ପର୍ଯ୍ୟାୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ କିଛି କଟକଣା କୋହଳ କରିଛନ୍ତି। ଗ୍ରୀନ ଜୋନ୍‌ରେ ବସ୍‌ ଚାଲିବା ପାଇଁ କେନ୍ଦ୍ର ଅନୁମତି ଦେଇଥିବା ବେଳେ ଅରେଞ୍ଜ ଜୋନ୍‌ରେ କ୍ୟାବ୍‌ ଚାଲିବା ପାଇଁ ଅନୁମତି ମିଳିଛି।

ଓଡ଼ିଶାରେ ୬ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି। ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ଼, କୋରାପୁଟ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଅରେଞ୍ଜ ଜୋନ୍‌ରେ ରହିଛି। ଏହି ଜୋନ୍‌ରେ କ୍ୟାବ୍‌ ଚାଲିପାରିବ। ଜଣେ ଯାତ୍ରୀଙ୍କୁ ନେଇ କ୍ୟାବ୍‌ ଚାଲିପାରିବ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ରହିଛି। ସେହିପରି ବାଇକ୍‌ ପଛରେ ଜଣେ ଆରୋହୀ ବସିପାରିବେ ବୋଲି ନିୟମ ହୋଇଛି।

ଗ୍ରୀନ ଜୋନ୍‌ରେ ମଧ୍ୟ କଟକଣା କୋହଳ ହୋଇଛି। ଓଡ଼ିଶାର ୨୧ଟି ଜିଲ୍ଲା ଗ୍ରୀନ ଜୋନ୍‌ରେ ସ୍ଥାନ ପାଇଛି। କଟକ, ପୁରୀ, ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ଝାରସୁଗୁଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼ ଏବଂ ରାୟଗଡ଼ା ଗ୍ରୀନ ଜୋନରେ ରହିଛି। ଏହିସବୁ ଜିଲ୍ଲାରେ ବସ୍‌ ଚାଲି ପାରିବ। ଧାର୍ଯ୍ୟ ସିଟ୍‌ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚାଲି ପାରିବ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ନୟମ କରାଯାଇଛି।

ଓଡ଼ିଶାର ୩ଟି ଜିଲ୍ଲା ଯାଜପୁର, ଭଦ୍ରକ ଏବଂ ବାଲେଶର ରେଡ୍‌ ଜୋନ୍‌ରେ ରହିଛି। ଏହି ଜୋନରେ ବସ୍ ଚାଲିପାରିବ ନାହିଁ। ବାଇକରେ କେବଳ ଜଣେ ଯାଇ ପାରିବେ। ପଛରେ କୌଣସି ଲୋକ ବସି ପାରିବେ ନାହିଁ। ଏହାସହ ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ମେଡିକାଲ ଓପିଡି ଖୋଲି ପାରିବ। ସାରା ଦେଶରେ ବିମାନ, ରେଳ ଚଳାଚଳ ବନ୍ଦ ରହିବା ସହ ସ୍କୁଲ୍‌ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ସେଲୁନ୍‌, ସ୍ପା ବନ୍ଦ ରହିବ ବୋଲି କଟକଣା ଜାରି କରାଯାଇଛି।

Comment