ଓଡ଼ିଶାଲାଇଭ୍ ବ୍ୟୁରୋ
- ଭୁବନେଶ୍ୱରରେ ସନ୍ସାଇନ୍ ଓ ସ୍ପର୍ଶ ହସ୍ପିଟାଲର ମନମାନି
- ଛାତିରେ ଯନ୍ତ୍ରଣ ଭୋଗୁଥିବା ରୋଗୀଙ୍କୁ ଚିକିତ୍ସା କଲେନି
- ରୋଗୀଙ୍କୁ ଫେରାଇଦେଲେ, ଅଧାବାଟରେ ଗଲା ଜୀବନ
- ଭଡ଼ା ଘର ମାଲିକ ବି ଶବ ରଖିବାକୁ ମନା କରିଦେଲା
- ୧୦୮ ଆମ୍ବୁଲାନ୍ସରୁ ଉତ୍ତର ମିଳିଲାନି
- ୧୦୦, ୧୦୪ ସହାୟତା କରିବାକୁ ମନା କରିଦେଲେ
- ଅଧ ରାତିରେ ରୋଗୀଣା ବାପାଙ୍କୁ ନେଇ ହସ୍ପିଟାଲୁ ହସ୍ପିଟାଲକୁ ଏକାକୀ ବୁଲିଲା ଝିଅ
କରୋନା ସଙ୍କଟ ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଡାକ୍ତରମାନଙ୍କୁ ଲୋକେ ଦ୍ୱିତୀୟ ଭଗବାନ କହୁଥିବା ବେଳେ ଏହି ଡାକ୍ତର କେମିତି ନିଜର ଅମାନବୀୟତାର ପରିଚୟ ଦେଇଛନ୍ତି ତାର ଏକ ବାସ୍ତବ ଚିତ୍ର ଗତ ୨୭ ତାରିଖ ରାତିରେ ଦେଖିବାକୁ ମିଳିଛି।
କରୋନା ଡରରେ ଛାତି ଯନ୍ତ୍ରଣା ଭୋଗୁଥିବା ଜଣେ ରୋଗୀଙ୍କୁ ଭୁବନେଶ୍ୱରର ଦୁଇଟି ଘରେଇ ହସ୍ପିଟାଲ ସନ୍ସାଇନ୍ ଏବଂ ସ୍ପର୍ଶ ହସ୍ପିଟାଲ ଚିକିତ୍ସା ନକରି ଫେରାଇ ଦେବାରୁ ରୋଗୀଙ୍କର ମୃତ୍ୟୁ ହେବା ଆମ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି। କେବଳ କୋଭିଡ୍-୧୯ ସନ୍ଦେହରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି କରିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ହେଲେ ରୋଗୀଙ୍କ ପାଖରେ ସେମିତି କିଛି ଲକ୍ଷଣ ନଥିବା ବେଳେ ସନ୍ସାଇନ୍ ଓ ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ କାହିଁକି ଏମିତି ଅଚରଣ କଲେ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।
କେବଳ ଏତିକି ନୁହେଁ, ଘର ମାଲିକ ବି ମୃତଦେହକୁ ଘରେ ପୂରାଇ ଦେଲେନି। ଶେଷରେ ମୃତଦେହକୁ ରାସ୍ତା ଉପରେ ରଖି ରାତି ସାରା ମା’ , ଝିଅ ରହିବା ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
୧୦୮ ଶୁଣିଲାନି, ୧୦୦, ୧୦୪ ସହାୟତା ଦେବାକୁ ମନା କଲେ
ଯାଜପୁର ଅଞ୍ଚଳର ଗୋଟିଏ ପରିବାର ବମିଖାଲ ନିକଟ ବାସୁଦେବନଗରରେ ଭଡ଼ା ରହୁଥିଲେ। ୨୭ ତାରିଖ ରାତି ୧୨ଟାରେ ଏହି ପରିବାରର ମୁରବୀ ରବୀନ୍ଦ୍ର କୁମାର ନାୟକଙ୍କ ଛାତି ଯନ୍ତ୍ରଣା ହେଲା। ଦେହ ଝାଳରେ ଭିଜିଗଲା। ଏଭଳି ଅବସ୍ଥା ଦେଖି ତାଙ୍କ ଝିଅ ଏବଂ ସ୍ତ୍ରୀ ବିଚଳିତ ହୋଇଗଲେ। ଘର ମାଲିକଙ୍କୁ ତାଙ୍କ ଗାଡ଼ିରେ ହସ୍ପିଟାଲ ନେଇଯିବାକୁ ନିବେଦନ କଲେ। ହେଲେ ଘର ମାଲିକ ରୋକ୍ଠୋକ୍ ମନା କରିଦେଇଥିଲେ।
ଶେଷରେ ତାଙ୍କ ଝିଅ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କଲେ। ହେଲେ ୧୦୮ରୁ କୌଣସି ଉତ୍ତର ମିଳିଲାନି। ଶେଷରେ ସେ ପୋଲିସର ହେଲ୍ପଲାଇନ୍ ନମ୍ବର ୧୦୦ ଏବଂ କରୋନା ହେଲ୍ପଲାଇନ୍ ନମ୍ବର ୧୦୪କୁ ଫୋନ୍ କରିଥିଲେ। ସେପଟୁ ମଧ୍ୟ ଉତ୍ତର ନୈରାଶ୍ୟଜନକ ଆସିଥିଲା। ସେମାନେ କୌଣସି ସହାୟତା କରିପାରିବେନି ବୋଲି କହିଥିଲେ। ଶେଷରେ ସେ ଏକ କ୍ୟାବ୍ ଭଡ଼ା କରି ଲକ୍ଷ୍ମୀସାଗରସ୍ଥିତ ସନ୍ସାଇନ୍ ହସ୍ପିଟାଲକୁ ନେଇଥିଲେ।
‘‘ପ୍ରଥମେ ମୁଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲି। ହେଲେ କୌଣସି ଉତ୍ତର ମିଳିଲାନି। ୧୦୦ ଏବଂ ୧୦୪କୁ ଫୋନ୍ କରିଥିଲେ ମଧ୍ୟ ସେମାନେ କୌଣସି ସହାୟତା ଦେବାକୁ ମନା କରିଦେଇଥିଲେ। ସରକାର ଏହି ହେଲ୍ପ ଲାଇନ୍ ନମ୍ବର ବ୍ୟବସ୍ଥା କାହିଁକି କରିଛନ୍ତି? ବିପଦ ସମୟରେ ଯଦି ସରକାର ସହଯୋଗ ନକରିବେ ତାହାଲେ ଏଭଳି ବ୍ୟବସ୍ଥା ଥାଇ ଲାଭ କ’ଣ? ଭବିଷ୍ୟତରେ ଯଦି କିଛି ଅସୁବିଧା ହୁଏ ତାହାଲେ ଏହି ନମ୍ବରକୁ ଆଉ ଫୋନ କରିବୁନି’’, ଓଡ଼ିଶାଲାଇଭ୍କୁ କହିଛନ୍ତି ମୃତ ରବୀନ୍ଦ୍ରଙ୍କ ଝିଅ।
ଗେଟ୍ ପାଖରୁ ଫେରାଇଦେଲା ସନ୍ସାଇନ୍
ଏମରଜେନ୍ସୀ ରୋଗୀ ଆସିଲେ ଯେକୌଣସି ହସ୍ପିଟାଲ ତାଙ୍କୁ ପ୍ରାଧାନ୍ୟ ଦେବାର ନିୟମ ରହିଛି। ହେଲେ ସନ୍ସାଇନ୍ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ନିୟମକୁ ଜଳାଞ୍ଜଳି ଦେଇଥିଲେ। ରୋଗୀଙ୍କୁ ହସ୍ପିଟାଲରେ ପୂରାଇ ଦେଇ ନଥିଲେ।
ଗେଟ୍ ପାଖରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କୁ ବିଦା କରିଦେଇଥିଲେ। ହସ୍ପିଟାଲର ରିସେପ୍ସନ୍ କାଉଣ୍ଟର କିମ୍ବା ଏମର୍ଜେନ୍ସୀ ୱାର୍ଡକୁ ଯିବାକୁ ସୁଯୋଗ ଦେଇ ନଥିଲେ। ରୋଗୀ ବମିଖାଲ ଅଞ୍ଚଳରୁ ଆସିଥିବା ଶୁଣି ଏହି କର୍ମଚାରୀମାନେ ସିଧା ସିଧା କହିଥିଲେ ଆମର ଏଠି ଡାକ୍ତର ନାହାନ୍ତି, କୌଣସି ସୁବିଧା ମିଳିପାରିବ ନାହିଁ।
‘‘ସନ୍ସାଇନ୍ ହସ୍ପିଟାଲ ଆମ ଘରଠୁ ପାଖ ଥିବାରୁ ଆମେ ପ୍ରଥମେ ଏହି ହସ୍ପିଟାଲ ଯାଇଥିଲୁ। ପ୍ରାୟ ୧୨ଟା ୧୫ରେ ଆମେ ହସ୍ପିଟାଲ ଗେଟ୍ ପାଖରେ ପହଞ୍ଚିଥିଲୁ। ଏମର୍ଜନ୍ସୀ ୱାର୍ଡକୁ ଯିବାକୁ ଚାହଁଛୁ ବୋଲି ସେଠାରେ ଥିବା କର୍ମଚାରୀଙ୍କୁ କହିଥିଲୁ। ବମିଖାଲ ଅଞ୍ଚଳରୁ ଆସିଥିବା ଶୁଣି ହସ୍ପିଟାଲ ହେଲପରମାନେ ଆମକୁ ମନା କରିଦେଇଥିଲେ।’’
ସ୍ପର୍ଶରେ ଡାକ୍ତର ଦେଖିଲେନି, ପେନ୍କ୍ଲିୟର ଦେଇ ଫେରାଇଦେଲେ
ସନ୍ସାଇନ୍ ହସ୍ପିଟାଲର କର୍ମଚାରୀ ରୋଗୀଙ୍କୁ ଗେଟ୍ ପାଖରୁ ବିଦା କରିଦେବା ପରେ ରାତି ଅଧରେ ଝିଅ ଜଣକ ତାଙ୍କ ବାପାଙ୍କୁ ନେଇ ସହିଦନଗର ସ୍ପର୍ଶ ହସ୍ପିଟାଲକୁ ଯାଇଥିଲେ। ହେଲେ ସେଠି ବି ସମାନ ଅବସ୍ଥା ସାମ୍ନା କରିବାକୁ ପଡ଼ିଲା।
ହସ୍ପିଟାଲ ସାମ୍ନାରେ କିଛି ସମୟ ଛିଡ଼ା ହେବା ପରେ ରୋଗୀଙ୍କୁ ଭିତରକୁ ନିଆଗଲା। ହେଲେ ଡାକ୍ତରଙ୍କ ବଦଳରେ ନର୍ସମାନେ ଆସି ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଇସିଜିରୁ ରବୀନ୍ଦ୍ରଙ୍କର ହୃଦ୍ ରୋଗ ସମସ୍ୟା ଥିବା ଜଣାପଡ଼ିଲା। ହେଲେ ସେଠି ଚିକିତ୍ସା ହୋଇପାରିଲାନି।
ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଅନ୍ୟ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଥିଲେ। କେବଳ ପେନ୍କ୍ଲିୟର ଦେଇ ଆମ୍ବୁଲାନ୍ସରେ ପଠାଇଦେଲେ।
‘‘ସ୍ପର୍ଶ ହସ୍ପିଟାଲରେ ଡାକ୍ତରମାନେ ସେମାନଙ୍କ କ୍ୟାବିନରେ ଥିଲେ। ରାତି ଅଧରେ ଜଣେ ଗୁରୁତର ରୋଗୀ ଆସିଥିବା ଜାଣି ମଧ୍ୟ କେହି ଡାକ୍ତର ପାଖକୁ ଆସି ନଥିଲେ। କେବଳ ପେନ୍କ୍ଲିୟର ଦେଇ ଫେରାଇ ଦେଇଥିଲେ। ଆମେ ଆମ୍ବୁଲାନ୍ସାରେ ବାପାଙ୍କୁ ନେଇ କେୟାର ହସ୍ପିଟାଲ ଆସିଥିଲୁ। ହେଲେ ଆମ୍ବୁଲାନ୍ସରେ ଅକ୍ସିଜେନ ବ୍ୟବସ୍ଥା ବି ନଥିଲା’’, କହିଛନ୍ତି ରବୀନ୍ଦ୍ରଙ୍କ ଝିଅ।
ଅଧାବାଟରେ ଚାଲିଗଲେ ବାପା
ସ୍ପର୍ଶ ହସ୍ପିଟାଲରେ କୌଣସି ଚିକିତ୍ସା ସୁବିଧା ନମିଳିବାରୁ ରୋଗୀଙ୍କୁ ନେଇ ତାଙ୍କ ପରିବାର କେୟାର ହସ୍ପିଟାଲ ଆସିଥିଲେ। ହସ୍ପିଟାଲ ଆଉ ମାତ୍ର ଅଳ୍ପ ଦୂର ଥିବା ବେଳେ ଆମ୍ବୁଲାନ୍ସରେ ତାଙ୍କ ଜୀବନ ଚାଲି ଯାଇଥିଲା।
‘‘ଆମେ କେୟାର ହସ୍ପିଟାଲ ଗଲୁ। ବହୁତ ସମୟ ବାହାରେ ଛିଡ଼ା ହେବା ପରେ ଜଣେ ଡାକ୍ତର ଆସିଲେ। ଆମ୍ବୁଲାନ୍ସୋ ବାପାଙ୍କୁ ଦେଖିଲେ। ପରେ ହସ୍ପିଟାଲ ଭିତରକୁ ନେଲେ। ରାତି ୨ଟା୪୦ ବେଳକୁ କହିଲେ ଯେ ସେ ଆଉ ନାହାନ୍ତି। ଦାଦା, ଖୁଡି ଏବଂ ମୋର କିଛି ସାଙ୍ଗ ହସ୍ପିଟାଲ ପାଖରେ ପହଞ୍ଚିବା ପରେ ଆମେ ଭଡ଼ାଘରକୁ ବାପାଙ୍କୁ ଆଣି ଆମ୍ବଲାନ୍ସରେ ଆସିଲୁ।’’
ଘରେ ପୂରାଇ ଦେଲେନି ମାଲିକ
ରାତି ଅଧରେ ଜଣେ ବଢ଼ିଲା ଝିଅ ତାଙ୍କ ବାପାଙ୍କୁ ଧରି ଭୁବନେଶ୍ୱରରେ ହସ୍ପିଟାଲରୁ ହସ୍ପିଟାଲ ବୁଲି ନିରାଶ ହୋଇଥିଲେ। କେବଳ ସାଙ୍ଗରେ ତାଙ୍କ ମା’ ଥିଲେ। ସନ୍ସାଇନ୍ ଏବଂ ସ୍ପର୍ଶ ହସ୍ପିଟାଲରେ ଡାକ୍ତର ଚିକିତ୍ସା ନକରିବାରୁ ତାଙ୍କ ବାପା ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଏହି ଦୁଃଖରେ ଭାଙ୍ଗି ପଡ଼ିଥିବା ଝିଅଙ୍କୁ ଶେଷରେ ଭଡ଼ା ଘର ମାଲିକ ବି ସହାୟତା କଲେନି।
ଯେତେବେଳେ ରବୀନ୍ଦ୍ରଙ୍କ ମୃତଦେହ ଆମ୍ବୁଲାନ୍ସରେ ଭଡ଼ା ଘର ପାଖରେ ପହଞ୍ଚିଲା ସେତେବେଳେ ମାଲିକ ପାଚେରୀ ହୋଇ ଛିଡ଼ା ହୋଇଥିଲେ। ମୃତଦେହକୁ ଘରେ ରଖିବାକୁ ଅନୁମତି ଦେଇ ନଥିଲେ। ଯେତେ କାକୁତି ମିନିତୀ ହୋଇଥିଲେ ବି ଘର ମାଲିକଙ୍କ ହୃଦୟ ତରଳି ନଥିଲା। ଘର ତ ଦୂରର କଥା, ଗ୍ୟାରେଜ ଘରେ ରଖିବାକୁ ବି ମନା କରିଦେଇଥିଲେ।
‘‘ମୋ ଭାଇ ପାରଳାଖେମୁଣ୍ଡିରେ ଥିଲେ। ଭାଇ ଆସିବା ପର୍ଯ୍ୟନ୍ତ ଆମେ ବାପାଙ୍କ ମୃତଦେହ ରଖିବାକୁ ଚାହୁଁଥିଲୁ। ହେଲେ ଘର ମାଲିକ ମନା କରିଦେଲେ। ଯେତେ ବୁଝାଇଲେ ବି ସେ ବୁଝି ନଥିଲେ’’, କହିଛନ୍ତି ମୃତ ରବୀନ୍ଦ୍ରଙ୍କ ଝିଅ।
ରାସ୍ତା ଉପରେ ଶବ ସହିତ ରାତି କଟିଲା
ଭଡ଼ା ଘର ମାଲିକ ନିଷ୍ଠୁର ହୋଇଯିବା ପରେ ଶେଷରେ ମା’ ଝିଅ ସତ୍ୟନଗର ଶ୍ମଶାନ ପାଖ ରାସ୍ତାରେ ରବୀନ୍ଦ୍ରଙ୍କ ମୃତଦେହ ରଖି ଛିଡ଼ା ହୋଇଥିଲେ। ତାଙ୍କ ପୁଅର ଫେରିବାକୁ ଅପେକ୍ଷା କରିଥିଲେ। ହେଲେ ସକାଳ ହେଲେ ପୋଲିସ ଝାମେଲା ବଢ଼ିବ ଆଶଙ୍କାରେ ତରବରିଆ ଭାବେ ଅନ୍ତିମ ସଂସ୍କାର ହୋଇଥିଲା। ଶେଷରେ ପୁଅ ବଦଳରେ ବାପା ମୁହଁରେ ଝିଅ ନିଆଁ ଦେଇଥିଲା।
ମୃତ ରବୀନ୍ଦ୍ରଙ୍କର କିଛି ଭୁଲ୍ ନଥିଲା। ତାଙ୍କ ପରିବାର ସଦସ୍ୟଙ୍କର ବି କିଛି ଭୁଲ୍ ନଥିଲା। କେବଳ ଏତିକି ଭୁଲ୍ ଥିଲା ସେମାନେ କରୋନା ଆକ୍ରାନ୍ତ ଅଞ୍ଚଳ ବମିଖାଲରୁ ଆସିଛନ୍ତି। ଏହି ଗୋଟିଏ କାରଣ ପାଇଁ ସନ୍ସାଇନ୍ ଏବଂ ସ୍ପର୍ଶ ହସ୍ପିଟାଲରେ ତାଙ୍କୁ ଅଧ ରାତିରେ ଚିକିତ୍ସା ସୁବିଧା ମିଳି ନଥିଲା। ଏହାସହ ତାଙ୍କ ମୂଳ ଘର ଯାଜପୁର ହୋଇଥିବାରୁ ଏବଂ ଏହି ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଘର ମାଲିକ ବି ସାଥ୍ ଦେଇ ନଥିଲେ। କରୋନା ସନ୍ଦେହ ପାଇଁ ରବୀନ୍ଦ୍ରଙ୍କୁ ଠିକ୍ରେ ଚିକିତ୍ସା ସୁବିଧା ମିଳି ନଥିଲା ଏବଂ ତାଙ୍କ ପରିବାରକୁ ରାତି ଅଧରେ ନାକେଦମ ହେବାକୁ ପଡ଼ିଥିଲା।
ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ କରିଛନ୍ତି। ଏହାକୁ ସରକାରଙ୍କ ସଫଳତା ବୋଲି କୁହାଯାଉଛି। କୋଭିଡ୍ ହସ୍ପିଟାଲରେ କେବଳ କରୋନା ରୋଗୀ ଏବଂ ଅନ୍ୟ ହସ୍ପିଟାଲମାନଙ୍କରେ ଅନ୍ୟ ରୋଗୀମାନେ ଚିକିତ୍ସା ପାଇପାରିବେ ବୋଲି ସରକାର ଘୋଷଣା ମଧ୍ୟ କରିଥିଲେ। ହେଲେ ସରକାରଙ୍କ ନିୟମ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହେଉ ନଥିବା ସନ୍ସାଇନ୍ ଏବଂ ସ୍ପର୍ଶ ହସ୍ପିଟାଲ ଘଟଣାରୁ ଜଣାପଡ଼ିଛି।
ଯଦି ରାଜଧାନୀ ଭୁବନେଶ୍ୱରରେ ଜଣେ ଗୁରୁତର ରୋଗୀଙ୍କୁ ରାତି ଅଧରେ ହସ୍ପିଟାଲରୁ ହସ୍ପିଟାଲ ବୁଲିବା ପରେ ଚିକିତ୍ସା ସେବା ମିଳିପାରୁନି ତାହାଲେ ଅନ୍ୟ ଅଞ୍ଚଳରେ କ’ଣ ହେଉଥିବ ତାହା ଏଥିରୁ ସହଜରେ ଅନୁମାନ କରିହେଉଛି।