ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ଆଜି ଶେଷ ହୋଇଛି। ଆସନ୍ତାକାଲିଠୁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏହି ସମୟରେ ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏଥିରେ ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ୍ରେ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର।
ରେଡ୍ ଜୋନ୍
ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଓଡ଼ିଶାର ତିନି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ରେଡ୍ ଜୋନ୍ରେ ରହିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଏହି ଜୋନ୍ରେ ରହିଛି।
ଗତ ୧୪ ଦିନ ଭିତରେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ଭୁବନେଶ୍ୱରକୁ ରେଡ୍ ଜୋନ୍ରେ ରଖିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଯେଉଁ ତାଲିକା ପ୍ରକାଶ କରିଥିଲେ ସେଥିରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍ରେ ରହିଥିଲା। ଏବେ ରାଜ୍ୟ ସରକାରଙ୍କ ନୂଆ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ ରହିଥିବା ବେଳେ କେବଳ ଭୁବନେଶ୍ୱର ରେଡ୍ ଜୋନ୍ରେ ରହିଛି।

ଅରେଞ୍ଜ ଜୋନ୍
ଏହି ଜୋନ୍ରେ ଓଡ଼ିଶାର ୧୧ଟି ଜିଲ୍ଲା ସ୍ଥାନ ପାଇଛି। ସେଗୁଡ଼ିକ ହେଲା ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ଢେଙ୍କାନାଳ, କଳାହାଣ୍ଡି ଏବଂ ଗଞ୍ଜାମ।
ଗ୍ରୀନ୍ ଜୋନ୍
ଏହି ଜୋନ୍ରେ ୧୬ଟି ଜିଲ୍ଲା ରହିଛି। ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଏବଂ ପୁରୀ।


















