ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୮ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୧୯ ଛୁଇଁଲା। କେବଳ ୩୭ ଜଣ ସୁରତ ଫେରନ୍ତା।

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): କରୋନାର ପ୍ରକୋପ ଓଡ଼ିଶାରେ ବଢ଼ି ଚାଲିଛି। ଗୋଟିଏ ଜିଲ୍ଲା ପରେ ଆଉ ଗୋଟିଏ ଜିଲ୍ଲା କରୋନା କବଳରେ ପଡୁଛି। ବତ୍ତର୍ମାନସୁଦ୍ଧା ୧୮ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି। ଆଜି ସକାଳେ ଓଡ଼ିଶାରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରୋଗୀ ସଂଖ୍ୟା ୨୧୯ରେ ପହଞ୍ଚିଛି।

ମାତ୍ର ୧୫ ଦିନରେ ଆଉ ୧୦୦ ଟପିଲା

ଓଡ଼ିଶାରେ କାୟା ମେଲାଇ ଚାଲିଛି କରୋନା। ଏପ୍ରିଲ ୨୪ ତାରିଖ ଯାଏଁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଥିଲା। ୨୪ ତାରିଖରୁ ମେ’ ୭ ତାରିଖ ଭିତରେ ରୋଗୀଙ୍କ ସଂଖ୍ୟା ୨୦୦ ଟପିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

ମାର୍ଚ୍ଚ ୧୫ରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଜଣକ ପରେ ଜଣେ ଆକ୍ରାନ୍ତ ବାହାରିଥିଲେ। ହେଲେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିଲା। ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୧୦୦ ଟପିବାକୁ ଦେଢ଼ ମାସ ଲାଗି ଯାଇଥିଲା। ଏପ୍ରିଲ ୨୪ରେ ଯାଜପୁର ଜିଲ୍ଲାରୁ ୬ ଜଣ ପଜିଟିଭ୍‌ କେସ୍‌ ବାହାରିବା ପରେ ରୋଗୀ ସଂଖ୍ୟା ୧୦୦ ଟପିଥିଲା।

ଯେଉଁଦିନ ୧୦୦ ଟପିଥିଲା ସେହିଦିନ ସାରା ରାଜ୍ୟ ପାଇଁ ସତର୍କଘଣ୍ଟି ବାଜିଥିଲା। କାରଣ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରୁ ଜଣକ ପରେ ଜଣେ କୋଲକାତା ଫେରନ୍ତାଙ୍କଠାରୁ ଭାଇରସ୍‌ ଚିହ୍ନଟ ହୋଇଥିଲା। ମାତ୍ର ୧୫ ଦିନ ଭିତରେ ରୋଗୀଙ୍କ ସଂଖ୍ୟା ଏତେମାତ୍ରାରେ ବଢ଼ିଗଲା ଯେ ସଂଖ୍ୟା ୨୦୦ ଟପିଛି। କୋଲକାତା ଏବଂ ସୁରତ ଫେରନ୍ତାଙ୍କ ପାଇଁ ଓଡ଼ିଶାର ସ୍ଥିତି ଏବେ ଅଣାୟତ୍ତ ବୋଲି କୁହାଯାଉଛି।

୧୮ ଜିଲ୍ଲାରେ ଡର

ମାର୍ଚ୍ଚ ଓ ଏପ୍ରିଲ ମାସ ଶେଷ ଯାଏଁ ମାତ୍ର ୧୦ଟି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ବିଶେଷକରି ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱରରେ କରୋନା ଆତଙ୍କ ଖେଳାଇଥିଲା। ହେଲେ ମେ’ ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ନୂଆ ଜିଲ୍ଲାକୁ ବି କରୋନା ଡେଇଁଥିଲା।

ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଜଗତସିଂହପୁର, ଗଞ୍ଜାମ, ମୟୂରଭଞ୍ଜ, ବଲାଙ୍ଗିର ଆଦି ଜିଲ୍ଲାରେ କରୋନା କାୟା ମେଲାଇଥିଲା। ବିଶେଷକରି ଗଞ୍ଜାମ ଜିଲ୍ଲାରେ ୨୧ ଆକ୍ରାନ୍ତ ଏବଂ ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାରୁ ଚାରି ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେବାରୁ ଓଡ଼ିଶାରେ ରୋଗୀ ସଂଖ୍ୟା ୨୦୦ ଟପିଥିବା କୁହାଯାଉଛି।

ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝରରୁ ଚିହ୍ନଟ ଆକ୍ରାନ୍ତ କୋଲକାତାରୁ ଫେରିଥିବା ବେଳେ ଜଗତସିଂହପୁର, ଗଞ୍ଜାମ ଏବଂ ମୟୂରଭଞ୍ଜ ଆକ୍ରାନ୍ତ ସୁରତରୁ ଫେରିଥିବା ଜଣାପଡ଼ିଛି। ବଲାଙ୍ଗିରରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିବା କୁହାଯାଉଛି।

୧୮ ଜିଲ୍ଲାକୁ କରୋନା ଛୁଇଁବା ପରେ ବାକି ୧୨ଟି ଜିଲ୍ଲା ପାଇଁ ବି ସତର୍କଘଣ୍ଟି ବାଜିଛି। କାରଣ ପ୍ରତିଦିନ ନୂଆ ନୂଆ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି।

କେଉଁ ଜିଲ୍ଲାରେ କେତେ?

ବର୍ତ୍ତମାନସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ରହିଛି। ସେଥିମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହଲେ ଯାଜପୁର ଏବେ ଆଗରେ ରହିଛି। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଥିବା ବେଳେ ଖୋର୍ଦ୍ଧାରେ ୪୭, ବାଲେଶ୍ୱରରେ ୨୭, ଭଦ୍ରକରେ ୨୧, ସୁନ୍ଦରଗଡ଼ ୧୨, ଗଞ୍ଜାମ ୨୧, ବଲାଙ୍ଗିର ୨, ଝାରସୁଗୁଡ଼ା ୨, କେନ୍ଦୁଝର ୨, କଟକ ୨, କେନ୍ଦ୍ରାପଡ଼ା ୩, କଳାହାଣ୍ଡି ୨, ଦେବଗଡ଼ ୧, କୋରାପୁଟ ୧, ଢେଙ୍କାନାଳ ୧, ପୁରୀ ୧, ଜଗତସିଂହପୁର ୫, ମୟୂରଭଞ୍ଜରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ସମେତ ରେଡ୍‌ ଜୋନ୍‌ରେ ୪ ଜିଲ୍ଲା

କରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ସମେତ ୪ ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ରଖିଛନ୍ତି ରାଜ୍ୟ ସରକାର। ପ୍ରଥମେ ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ରେଡ୍‌ ଜୋନ୍‌ରେ ରହିଥିଲା। ହେଲେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହେବାରୁ ଏହି ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର।

କୋଲକାତା ପରେ ଏବେ ସୁରତ ଫେରନ୍ତାଙ୍କ ଚିନ୍ତା

ମାର୍ଚ୍ଚ ଶେଷ ସପ୍ତାହରୁ ଏପ୍ରିଲ ଅଧା ଯାଏଁ ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କେଉଁ ଜିଲ୍ଲାରୁ କିଏ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିଲେ ତାକୁନେଇ ସରକାର ଖୋଳତାଡ଼ କରିଥିଲେ। ନିଜାମୁଦ୍ଦିନରୁ ଯେଉଁମାନେ ଫେରିଛନ୍ତି ସେମାନେ ନିଜ ଆଡୁ ପଞ୍ଜୀକରଣ କରିବାକୁ ଆହ୍ୱାନ ଦେଇଥିଲେ।

ସରକାରଙ୍କ ଆହ୍ୱାନ ପରେ ଜଣକ ପରେ ଜଣେ ନିଜାମୁଦ୍ଦିନ ଫେରନ୍ତା ବାହାରିଥିଲେ। ୫୦ରୁ ଅଧିକ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହେବା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ କଟକ, ପୁରୀ, ଯାଜପୁର, ସୁନ୍ଦରଗଡ଼ରୁ ଆକ୍ରାନ୍ତ ବାହାରିଥିଲେ। ଢେଙ୍କାନାଳ ଆକ୍ରାନ୍ତ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା।

ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ପଶ୍ଚମବଙ୍ଗ ଫେରନ୍ତା ସରକାରଙ୍କ ନିଦ ହଜାଇଥିଲେ। ଏପ୍ରିଲ ୧୦ ତାରିଖ ପରେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଲେ। ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଥିଲା।

କେଉଁ ଜିଲ୍ଲାକୁ କିଏ ପଶ୍ଚିମବଙ୍ଗରୁ ଆସିଛନ୍ତି ତାହା ଜାଣିବା ପାଇଁ ସରକାର ଉଦ୍ୟମ କଲେ। ଏପରିକି ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ଆହ୍ୱନ ଦେଇଥିଲେ। ଏବେ ବି ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟରେ ସକ୍ରିୟ ଅଛନ୍ତି। ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଜଣକ ପରେ ଜଣେ ଆକ୍ରାନ୍ତ ବାହାରୁଛନ୍ତି।

ପଶ୍ଚିମବଙ୍ଗ ପରେ ଏବେ ସୁରତ ଫେରନ୍ତା ଚିନ୍ତା ବଢ଼ାଇଛନ୍ତି। ସୁରତରେ ଫସିଥିବା ଓଡ଼ିଆ ଇତିମଧ୍ୟରେ ନିଜ ଭିଟାମାଟିକୁ ଫେରୁଛନ୍ତି। ଗଞ୍ଜାମ, କଟକ, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲାକୁ ସୁରତରୁ ଲୋକ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଭିତରୁ ଏବେ ପଜିଟିଭ୍‌ ବାହାରୁଛି।

କେବଳ ୩୭ ରୋଗୀ ସୁରତ ଫେରନ୍ତା

ଗତ ୮ ଦିନ ଭିତରେ ଯେଉଁ ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଭିତରୁ ୩୭ ଜଣ ହେଉଛନ୍ତି ସୁରତ ଫେରନ୍ତା। କଟକ ତିଗିରିଆରୁ ଜଣେ ସୁରତ ଫେରନ୍ତା ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୮, ଜଗତସିଂହପୁରରୁ ୪, ମୟୂରଭଞ୍ଜରୁ ୪ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନସୁଦ୍ଧା ରାଜ୍ୟ ବାହାରୁ ୩୯ ହଜାର ୭୬୫ ଓଡ଼ିଆ ଫେରିଛନ୍ତି। ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଆହୁରି ଅନେକ ଓଡ଼ିଆ ଓଡ଼ିଶାକୁ ଫେରୁଛନ୍ତି। ଯଦି ସେମାନଙ୍କ ପାଖରୁ ପଜିଟିଭ୍‌ କେସ୍‌ ବାହାରେ ତାହାଲେ ଓଡ଼ିଶାର ସ୍ଥିତି ମଧ୍ୟ ଅଣାୟତ୍ତ ହୋଇପାରେ ଏଥିରେ ସନ୍ଦେହ ନାହିଁ।

Comment