ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ୫୩୮ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ଓଡ଼ିଶାରେ ଆଜି ୫୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଆଜି ୫୦୦ ଟପିବା ସତର୍କଘଣ୍ଟି ବଜାଇଛି। ଓଡ଼ିଶାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଲୋକ ଫେରୁଛନ୍ତି। ଫଳରେ ପଜିଟିଭ୍‌ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଜି ସକାଳେ ୧୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୫୩୮ରେ ପହଞ୍ଚିଛି।

ଆଜି ସକାଳେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୫୨ ଜଣ ଚିହ୍ନଟ ଛନ୍ତି। ଏହାପରେ ବାଲେଶ୍ୱର ଜିଲ୍ଲାରୁ ୩୩ଜଣ, କେନ୍ଦୁଝରରୁ ୨ଜଣ ଓ  ସୁନ୍ଦରଗଡ଼ ଓ ଯାଜପୁରରୁ ୭ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେବେ ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ କ୍ୱାରେଣ୍ଟିନ୍ ସେଣ୍ଟର ମଧ୍ୟରୁ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଜଣ କଣ୍ଟେନମେଣ୍ଟ୍ ଜୋନରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ତିନିଜଣ ଅଲଗା ସ୍ଥାନରୁ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି।

ଏଥିସହ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୨୧୦ରେ ପହଞ୍ଚିଛି। ସେହିପରି ବାଲେଶ୍ୱରରେ ୯୦ ଓ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଛୁଇଁଛି।

ଗଞ୍ଜାମରେ ୨୦୦ ଟପିଲା

ଗତ ଦୁଇ ଦିନ ତଳେ ଅର୍ଥାତ ମେ’ ୧୦ରେ କରୋନା ପଜିଟିଭ୍‌ ସଂଖ୍ୟା ଗଞ୍ଜାମରେ ୧୦୦ ଟପିଥିଲା। ହେଲେ ଦୁଇ ଦିନ ପରେ ଆର୍ଥାତ୍‌ ଆଜି ଏହି ସଂଖ୍ୟା ୫୦୦ ଟପିଛି। ପ୍ରଥମ ଥର ପାଇଁ ମେ ୨ ତାରିଖରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁରତ ଫେରନ୍ତା ଦୁଇ ଜଣ ଯୁବକଙ୍କଠାରେ କରୋନା ଭାଇରସ ଦେଖିବାକୁ ମିଳିଥିଲା। ଏହାପରେ ଏହି ସଂଖ୍ୟା ପୁଣି ବଢ଼ିବାକୁ ଆରମ୍ଭ କରିଥିଲା। ୪ ଓ ୫ ତାରିଖରେ ଜିଲ୍ଲାରେ ପୁଣି ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମାତ୍ର ଚାରିଦିନରେ ଦିନରେ ଚାରିଜଣ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଥିଲା। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା।

corona test 2ଗଞ୍ଜାମ ସୁପର ହଟ୍‌ସ୍ପଟ୍‌

ଖୋର୍ଦ୍ଧା ଜିଲ୍ଲା ଆଗରୁ ହଟ୍‌ସ୍ପଟ୍‌ ତାଲିକାରେ ରହିଥିଲା। ଏହି ଜିଲ୍ଲାରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଖୋର୍ଦ୍ଧାକୁ ହଟ୍‌ସ୍ପଟ୍‌ ଜୋନ୍‌ରେ ରହିଥିଲା। ଏବେ ଖୋର୍ଦ୍ଧା ଜିଲ୍ଲାରେ ୫୦ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ସୁସ୍ଥ ହୋଇଛନ୍ତି। ଏହାପରେ ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ରହିଥିଲା ହଟ୍‌ସ୍ପଟ ଜୋନ୍‌ରେ। ଯାଜପୁରରେ ଏବେ ୭୧, ବାଲେଶ୍ୱରରେ ୯୦ ଏବଂ ଭଦ୍ରକରେ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ହେଲେ ଏସବୁ ସଂଖ୍ୟାକୁ ଟପି ଯାଇଛି ଗଞ୍ଜାମ ଜିଲ୍ଲା। ମାତ୍ର ୧୦ ଦିନ ଭିତରେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଛି। ଜଣେ ଆକ୍ରାନ୍ତ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ଫଳରେ ଗଞ୍ଜାମରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି।

୨୧ ଜିଲ୍ଲାରେ କରୋନା

ପ୍ରଥମେ ଉପକୂଳ ଓଡ଼ିଶାରେ ଆତଙ୍କ ଖେଳାଇଥିଲା କରୋନା। ଏବେ ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଏହି ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦକ୍ଷିଣ ଓଡ଼ିଶାରେ ଏବେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୩୦ ଜିଲ୍ଲାରୁ ୨୧ ଜିଲ୍ଲାକୁ କରୋନା ଛୁଇଁଛି।

ଗଞ୍ଜାମ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ବୌଦ୍ଧ, କଯକ, କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗିର, ନୟାଗଡ଼, କୋରାପୁଟ, ଢେଙ୍କାନାଳ, ଦେବଗଡ଼ ଜିଲ୍ଲକୁ କରୋନା ଛୁଇଁଛି।

ସୁରତ, ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା

ଗତ କିଛିଦିନ ହେଲା କୋଲକାତା ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏବେ ସୁରତ ଫେରନ୍ତା ଓଡ଼ିଶାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି।

ମାଚ୍ଚ ଶେଷ ସପ୍ତାହରୁ ଏପ୍ରିଲ ଅଧା ଯାଏଁ ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କେଉଁ ଜିଲ୍ଲାରୁ କିଏ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିଲେ ତାକୁନେଇ ସରକାର ଖୋଳତାଡ଼ କରିଥିଲେ। ନିଜାମୁଦ୍ଦିନରୁ ଯେଉଁମାନେ ଫେରିଛନ୍ତି ସେମାନେ ନିଜ ଆଡୁ ପଞ୍ଜୀକରଣ କରିବାକୁ ଆହ୍ୱାନ ଦେଇଥିଲେ।

ସରକାରଙ୍କ ଆହ୍ୱାନ ପରେ ଜଣକ ପରେ ଜଣେ ନିଜାମୁଦ୍ଦିନ ଫେରନ୍ତା ବାହାରିଥିଲେ। ୫୦ରୁ ଅଧିକ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହେବା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ କଟକ, ପୁରୀ, ଯାଜପୁର, ସୁନ୍ଦରଗଡ଼ରୁ ଆକ୍ରାନ୍ତ ବାହାରିଥିଲେ। ଢେଙ୍କାନାଳ ଆକ୍ରାନ୍ତ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା।

ନିଜାମୁଦ୍ଦିନ ଫେରନ୍ତାଙ୍କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ପଶ୍ଚମବଙ୍ଗ ଫେରନ୍ତା ସରକାରଙ୍କ ନିଦ ହଜାଇଥିଲେ। ଏପ୍ରିଲ ୧୦ ତାରିଖ ପରେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଲେ। ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଥିଲା।

କେଉଁ ଜିଲ୍ଲାକୁ କିଏ ପଶ୍ଚିମବଙ୍ଗରୁ ଆସିଛନ୍ତି ତାହା ଜାଣିବା ପାଇଁ ସରକାର ଉଦ୍ୟମ କଲେ। ଏପରିକି ପଶ୍ଚିମବଙ୍ଗ ଫେରନ୍ତା ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ଆହ୍ୱନ ଦେଇଥିଲେ। ଏବେ ବି ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟରେ ସକ୍ରିୟ ଅଛନ୍ତି। ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ଜଣକ ପରେ ଜଣେ ଆକ୍ରାନ୍ତ ବାହାରୁଛନ୍ତି।

ପଶ୍ଚିମବଙ୍ଗ ପରେ ଏବେ ସୁରତ ଫେରନ୍ତା ଚିନ୍ତା ବଢ଼ାଇଛନ୍ତି। ସୁରତରେ ଫସିଥିବା ଓଡ଼ିଆ ଇତିମଧ୍ୟରେ ନିଜ ଭିଟାମାଟିକୁ ଫେରୁଛନ୍ତି। ଗଞ୍ଜାମ, କଟକ, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲାକୁ ସୁରତରୁ ଲୋକ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଭିତରୁ ଏବେ ପଜିଟିଭ୍‌ ବାହାରୁଛି।

Comment