ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରୁ ଅନେକ ଦୁଃଖଦ କାହାଣୀ ଆସୁଛି ସତ ହେଲେ ଏହି ଘଟଣାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଗୋରେଗାଁ ଇଷ୍ଟରେ ରହୁଥିବା ଏଗାର ବର୍ଷୀୟ ହର୍ଷିଲ ସିଂହଙ୍କ ବାପା ଏପ୍ରିଲ ୧୪ରେ କରୋନା ଚିକିତ୍ସା ଅବସ୍ଥାରେ ମୃତ୍ୟୁବରଣ କରିଥିବାବେଳେ ପଜିଟିଭ ହୋଇଥିବାରୁ ତାଙ୍କ ମା କ୍ୱାରେଣ୍ଟିନରେ ଥିଲେ। ଅବଶ୍ୟ ହର୍ଷିଲଙ୍କ ପରୀକ୍ଷା ନେଗେଟିଭି ଆସିଲା କିନ୍ତୁ ସେ ଘରେ ଏକଲା।
ହର୍ଷିଲଙ୍କ ବାପାଙ୍କର ପ୍ରଥମେ ଗଳା ଦରଜ ହେଲା ଏବଂ ଆସ୍ତେ ଆସ୍ତେ କାଶ ଓ ଛିଙ୍କ ବଢିବାକୁ ଲାଗିଲା। ଗୋଟିଏ ଦିନ ପରେ ସେ ବାନ୍ତି ବି କରିବା ଆରମ୍ଭ କଲେ। ତାଙ୍କୁ ହସ୍ପିଟାଲ ନିଆ ଗଲା କିନ୍ତୁ ସେ ବଞ୍ଚି ପାରିଲେ ନାହିଁ।
ହର୍ଷିଲଙ୍କ ଉପର ଘରେ ରହୁଥିବା ଜୟଶଙ୍କର ପଣ୍ଡାରାମଙ୍କୁ ଯେତେବେଳେ ଏକଥା ଜଣା ପଡ଼ିଲା ଯେ ତାଙ୍କର ପଡ଼ୋଶୀଙ୍କ ମୃତ୍ୟୁ ହୋଇଛି ଓ ତାଙ୍କ ପତ୍ନୀ ପୃଥକବାସରେ ରହିଛନ୍ତି, ହର୍ଷିଲଙ୍କ ଦାୟିତ୍ୱ ସେମାନେ ନେଲେ। ପ୍ରତିଦିନ ଛୁଆଟିକୁ ଖାଇବା ଦେବା ଥିଲା ଜୟଶଙ୍କରଙ୍କ ପତ୍ନୀଙ୍କ କାମ। ଦିନକୁ ତିନି ଥର ହର୍ଷିଲଙ୍କ ଘର ଝରକା ଦେଇ ଖାଦ୍ୟ ବଢାଇବା ସହ ତାର ଭଲ ମନ୍ଦ ସେମାନେ ବୁଝନ୍ତି। ହର୍ଷିଲ ତା ଦାଦା ପୁଅ ଭାଇମାନଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା କରିବା ସହ ରାତିରେ ଡର ମାଡ଼ିବ ବୋଲି ଭିଡିଓ ଗେମ ଖେଳୁଥାଏ ଓ ଟିଭିରେ କାର୍ଟୁନ ସୋ’ ଦେଖୁଥାଏ।
ଶେଷରେ ମେ ୪ ତାରିଖରେ ମା’ଙ୍କ କ୍ୱାରେଣ୍ଟିନ୍ ଶେଷ ହେବା ପରେ ସେ ଯେତେବେଳେ ଘରକୁ ଫେରିଲେ ହର୍ଷିଲର ଆନନ୍ଦର ସୀମା ନଥିଲା। କିନ୍ତୁ ଘରର ମୁଖ୍ୟ ସଦସ୍ୟଙ୍କୁ ହରାଇଥିବା ଯୋଗୁଁ ଘର ଭିତରେ ଏକ ପ୍ରକାର ନିସ୍ତବ୍ଧତା ରାଜୁତି କରୁଛି।