ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେଥି ମଧ୍ୟରୁ ବାଣପୁର ବ୍ଲକ୍ ଦୁଇ ଜଣ। ଜଣେ ଯୁବକ କ୍ୱାରେଣ୍ଟିନରେ ଥିଲେ। କିନ୍ତୁ ଅନ୍ୟ ଜଣେ ଆଠ ବର୍ଷର ବାଳକ। ଏହି ବାଳକ ନିଜ ଘରେ ଥିଲେ। ଏଣୁ ଗ୍ରାମବାସୀ ଚିନ୍ତାରେ ଥିଲେ। ଏହାକୁ ଦୃଷ୍ଟିରେ ରଖି  ବାଣପୁର କୁମାରଙ୍ଗ ସରପଞ୍ଚ  ମନୋଜ କୁମାର ପ୍ରଧାନ ନିଜ ପଞ୍ଚାୟତର ସୁରକ୍ଷା ଦୃଷ୍ଟିରୁ ନିଜର ଜିଲ୍ଲାପାଳ କ୍ଷମତାକୁ ପ୍ରୟୋଗ କରିଛନ୍ତି।  ଉକ୍ତ କେଶପୁର ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିବା ବେଳେ ସରପଞ୍ଚ ୪ଟି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

କେଶପୁର, ବୀରକେଶପୁର, କନ୍ଧଦୁଲ୍ଲଣୀ ଏବଂ ଖୁଣ୍ଟପଲ୍ଲୀ ଗ୍ରାମରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୭୨ ଘଣ୍ଟା ପାଇଁ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ୧ ପ୍ଲାଟୁନୁ ପୋଲିସ୍‌ ମୁତୟନ ହୋଇଛନ୍ତି। ୧୬ ତାରିଖ ସନ୍ଧ୍ୟା ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ଉକ୍ତ ଅଞ୍ଚଳର ସାନିଟାଇଜେସନ୍‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ବାହାରୁ ଫେରିଥିବା ନିଜ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ବାଳକ ଜଣକ ସଂକ୍ରମିତ ହୋଇଥିବା ଜଣାପଡିଛି। ବାଳକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, ବୋରେଇସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ବରେ ରହିଥିବା ଗ୍ରାମଗୁଡିକୁ ସଟ୍‌ଡାଉନ୍‌ କରାଯାଇଛି। କୁମରାଙ୍ଗ କ୍ବାରେଣ୍ଟିନ୍‌ ସେଣ୍ଟରରେ ୩୪ ଜଣ ପ୍ରବାସୀ ରହିଥିବା ବେଳେ ଗୋଦାବରୀଶ ବିଦ୍ୟାପୀଠରେ ୧୨ ଏବଂ ନାଚୁଣୀ ମହାବିଦ୍ୟାଳୟରେ ୯ ଜଣ ପ୍ରବାସୀ ଓଡିଆ ଅବସ୍ଥାନ କରୁଥିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି।

Comment