ଓଡ଼ିଶାଲାଇଭ୍ ବ୍ୟୁରୋ
ସେଲୁନ୍, ପାର୍ଲର ଓ ସ୍ପାର କର୍ମଚାରୀମାନେ ଗ୍ଲୋବ୍ସ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
ଭୁବନେଶ୍ୱରରେ ଖୋଲିବ ସେଲୁନ୍, ପାର୍ଲର ଓ ସ୍ପା। ଏହାସହ ରାସ୍ତାକଡ଼ ଜଳଖିଆ ଦୋକାନ ମଧ୍ୟ ଖୋଲି ପାରିବ। ଲକ୍ଡାଉନ୍ ୪.୦ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଜାରି କରାଯାଇଥିବା ନୂଆ ଗାଇଡଲାଇନ୍ରେ ଏହା ଦର୍ଶାଯାଇଛି। କିନ୍ତୁ ଏଥିପାଇଁ ସର୍ତ୍ତାବଳୀ ଲାଗୁ କରିଛି ବିଏମ୍ସି।
ସେଲୁନ୍, ପାର୍ଲର ଓ ସ୍ପା ଖୋଲିବା ପାଇଁ ବିଏମ୍ସି ସର୍ତ୍ତାବଳୀ ରଖିଛି। କର୍ମଚାରୀମାନେ ହାତରେ ଗ୍ଲୋବ୍ସ୍ ଏବଂ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସେହିପରି ରାସ୍ତାକଡ଼ ଜଳଖିଆ ଦୋକାନ ଖୋଲିବା ଲାଗି ବିଏମ୍ସି ଅନୁମତି ଦେଇଛି। ହେଲେ ଏଠାରେ କେହି ଖାଇପାରିବେ ନାହିଁ। ପାର୍ସଲ ନେଇ ଘରକୁ ଯିବା ପାଇଁ ଗାଇଡଲାଇନ୍ ଜାରି କରାଯାଇଛି।
ଏହାସହ ସ୍ପୋର୍ଟସ୍ କଂପ୍ଲେକ୍ସ ଏବଂ ଷ୍ଟାଡିୟମ ଖୋଲିବା ପାଇଁ ବିଏମ୍ସି ଅନୁମତି ଦେଇଛି। ସେଠାକୁ ଦର୍ଶକ ଯାଇପାରିବେ ନାହିଁ ବୋଲି କୁହାଯାଇଛି। ହୋଟେଲ ଓ ଲଜ୍ ପୂର୍ବ ପରି ବନ୍ଦ ରହିବ। କେବଳ ରେଷ୍ଟୁରାଣ୍ଟରୁ ଲୋକେ ଖାଦ୍ୟ ପାର୍ସଲ ନେଇପାରିବେ।
ସବୁ ପରିବା ଓ ଫଳ ଦୋକାନ ବିକ୍ରେନ୍ଦ୍ରୀକରଣ ଭାବେ ଖୋଲିବ। ସବୁ ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା୩୦ ଯାଏଁ ଖୋଲି ପାରିବ। କେବଳ ଔଷଧ ଦୋକାନ ସବୁବେଳେ ଖୋଲା ରହିବ।
ବିମାନ ଚଳାଚଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ସବୁ ସାମାଜିକ, ରାଜନୈତିକ, ମନୋରଞ୍ଜନ କାର୍ଯ୍ୟକ୍ରମକୁ ପୂର୍ବଭଳି ବନ୍ଦ ରଖାଯିବ। ଧର୍ମୀୟ ଅନୁଷ୍ଠାନରେ ସାଧାରଣ ଲୋକଙ୍କ ପ୍ରବେଶକୁ ମନା କରାଯାଇଛି।
ଦୋକାନ, ମଲ୍ଟିପ୍ଳେକ୍ସ ଓ ୪୦ ହଜାର ବର୍ଗଫୁଟରେ ଥିବା ମଲ୍ ବନ୍ଦ ରହିବ। ଭୁବନେଶ୍ୱରରେ ଥିବା ଏସ୍ପ୍ଲାନେଡ୍, ଫୋରମ୍ ମାର୍ଟ, ବିଏମ୍ସି ଭବାନୀ ମଲ୍, ସେଣ୍ଟ୍ରାଲ ସପିଂ ମଲ୍, ପାଣ୍ଟାଲୁନ୍, ରିଲାଏନ୍ସ ସୁପର, ଉତ୍କଳ ଗ୍ୟାଲେରିଆ, ବିଏମ୍ସି କେଶରୀ ମଲ୍, ସିମ୍ଫୋନି ମଲ୍, ଡି ଏନ୍ ରେଗାଲିଆ ମଲ୍, କ୍ରିଷ୍ଣା ପ୍ଲାଜା ଆଦି ବନ୍ଦ ରହିବ।
ଗତ ୧୮ ତାରିଖରୁ ସାରା ଦେଶରେ ଲକ୍ଡାଉନ୍ ୪.୦ ଲାଗୁ ହୋଇଛି। ଏନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଥିବା ବେଳେ ଭୁବନେଶ୍ୱର ପାଇଁ ବିଏମ୍ସି ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି।