ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ। ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଏହି ଟ୍ରେନ୍ ଆସିଛି। ତାମିଲନାଡୁର ତିରୁଭଲୁଭାରରୁ ଏହି ଟ୍ରେନଟି ରାୟଗଡ଼ା ଏବଂ ବଲାଙ୍ଗିର ଜିଲ୍ଲା ଦେଇ ରାଉରକେଲାରେ ପହଞ୍ଚିଛି।
ସୁନ୍ଦରଗଡ଼, ରାଜଗାଙ୍ଗପୁର, ଦେବଗଡ଼, ରାଉରକେଲା ଆଦି ଅଞ୍ଚଳର ୫୯ ଜଣ ଶ୍ରମିକ ଏହି ଟ୍ରେନରେ ଆସିଛନ୍ତି। ସରକାରୀ ନୀତି ନିୟମ ଭିତରେ ଏହି ଶ୍ରମିକମାନଙ୍କୁ ସ୍ୱାଗତ କରାଯାଇଛି। ଡାକ୍ତରୀ ଟିମ୍, ରେଜିଷ୍ଟ୍ରେସନ ଟିମ୍, ପୋଲିସ କର୍ମଚାରୀ ରାଉରକେଲା ଷ୍ଟେସନରେ ଉପସ୍ଥିତ ଥିଲେ। ଏହି ଅତିଥି ଶ୍ରମିକମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।
ଏହି ଟ୍ରେନ୍ରେ ରାୟଗଡ଼ା ଏବଂ ବଲାଙ୍ଗିର ଜିଲ୍ଲାର କିଛି ଲୋକ ଆସିଥିଲେ। ରାୟଗଡ଼ା ଏବଂ ବଲାଙ୍ଗିର ଜିଲ୍ଲାରେ ସେଠାକାର ଶ୍ରମିକମାନଙ୍କୁ ଛାଡ଼ି ଟ୍ରେନଟି ରାଉରକେଲା ଷ୍ଟେସକୁ ଆସିଥିଲା।
‘‘ତାମିଲନାଡୁରୁ ଆସିଥିବା ଶ୍ରମିକମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶ୍ରମିକମାନଙ୍କର ସ୍କ୍ରିନିଂ କରାଯାଇଛି। ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯିବ। ଯେଉଁମାନଙ୍କର କିଛି ଲକ୍ଷଣ ଦେଖାଯିବ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।
ଜିଲ୍ଲାପାଳ ଆହୁରି କହିଛନ୍ତି, ‘‘ଆଗକୁ ଆହୁରି ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ଆସିବେ। ଜୁନ୍ ମାସରୁ ଟ୍ରେନ ସେବା ସ୍ୱାଭାବିକ ହେବ ବୋଲି କୁହାଯାଉଛି। ଏହାସହ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ହେବାର ସମ୍ଭାବନା ରହିଛି। ଯେଉଁ ଶ୍ରମିକମାନେ ଆଗକୁ ଟ୍ରେନରେ ଆସିବେ ସେମାନେ ନିଜ ନିଜ ବ୍ୟବସ୍ଥାରେ ନିଜ ଅଞ୍ଚଳକୁ ଯାଇପାରିବେ। ନହେଲେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ।’’
କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ଲାଗୁ ହୋଇଛି। ମାର୍ଚ୍ଚ ୨୪ ତାରିଖରୁ ଲକ୍ଡାଉନ୍ ଲାଗୁ ହୋଇଛି। ଫଳରେ ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଥିଲେ। ସେମାନଙ୍କୁ ଆଣିବା ପାଇଁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି। ଏହି ଟ୍ରେନ ଜରିଆରେ ବିଭିନ୍ନ ରାଜ୍ୟରୁ ଲୋକେ ଓଡ଼ିଶାକୁ ଫେରୁଛନ୍ତି।


















