ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍‌ ଉଠାଇବା ଦାବିରେ ତାତିଲେ ଲୋକେ। ଏହାସହ ସାଧାରଣ ଜନତା ଓ ପୋଲିସ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହାପରେ ମହତାବ ରୋଡ ଓ ଏହା ଆଖପାଖ ଅଞ୍ଚଳ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ପୋଲିସକୁ ଟେକା ପଥର ମାଡ଼ କରିଛନ୍ତି।

ଏଥିରେ ୧୫ରୁ ଅଧିକ ପୋଲିସ କର୍ମୀ ଆହତ ହେବା ସହ ଜଣେ ସାମ୍ଵାଦିକ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଅଧିକ ପୋଲିସ ଫର୍ସ ମୁତୟନ କରାଯାଇଛି। ଏହାସହ ପଶ୍ଚିମାଞ୍ଚଳ ଡିଆଇଜି ଓ ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଉରକେଲାର କିଛି ଅଞ୍ଚଳକୁ ବଫର ଜୋନ୍‌ ଓ କନେଣ୍ଟନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ମଧୁସୂଦନ ଛକରୁ ଏବି ଲେନ୍‌ ଓ ପାଓ୍ଵାର ହାଉସ୍‌ ରୋଡରୁ ଜନତା ନିବାସ ଗଳି ଯାଏଁ ମାସେ ପରେ ବଫର ଜୋନ୍‌ ଉଠାଯାଇଥିଲା।

ଏହାପରେ ନିଜ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ଉଠାଇବାକୁ ଜିଦ୍‌ ଧରିଥିଲେ ମହତାବ ରୋଡ୍‌ ଓ ଆଖପାଖ ଅଞ୍ଚଳବାସୀ। ଏହାସହ ପୋତା ଯାଇଥିବା ବାଉଁଶରେ ନିଆଁ ଲଗାଇଦେଇଥିଲେ। ରାସ୍ତା ଉପରକୁ ଆସି ଟାୟାର ଜାଳି ବିକ୍ଷୋଭ ମଧ୍ୟ କରିଥିଲେ। ପରେ ପୋଲିସ ସେମାନଙ୍କୁ ହଟାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସକୁ ଟେକା ପଥର ମଧ୍ୟ ମାଡ଼ କରିଛନ୍ତି ଲୋକେ।

LEAVE A REPLY

Please enter your comment!
Please enter your name here