ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ସ୍ୱାମୀ ସ୍ତ୍ରୀଙ୍କ ନିବିଡ଼ ସମ୍ପର୍କ। ସ୍ୱାମୀ ଚାଲିପାରୁନଥିବାରୁ ସ୍ତ୍ରୀ ତାଙ୍କୁ ପିଠିରେ ଲଦି ଆଣିଛନ୍ତି ଷ୍ଟେସନ।
କୁହାଯାଏ ସ୍ୱାମୀ, ସ୍ତ୍ରୀର ସମ୍ପର୍କ ଯୁଗ ଯୁଗର। ଏହି ସମ୍ପର୍କ ଭାରି ନିବିଡ଼। ସେଥିପାଇଁ ତ ବିବାହ ବେଳେ ସାରାଜୀବନ ସବୁ ସୁଖ ଦୁଃଖରେ ସାଥୀ ହେବେ ବୋଲି ଶପଥ କରିଥାନ୍ତି ଉଭୟ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଥିବା ଏହି ଅତୁଟ ଭଲ ପାଇବାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଧୁ ଧୁ ଖରାରେ ଜଣେ ସ୍ତ୍ରୀ ତା’ର ଛୋଟା ସ୍ୱାମୀକୁ ପିଠିରେ ପକାଇ ଆଣିଥିଲା ଉତ୍ତରପ୍ରଦେଶର କାନପୁର ଷ୍ଟେସନକୁ। ମଙ୍ଗଳବାର ଦିନର ଏହି ଘଟଣା ଦେଖି ଷ୍ଟେସନରେ ଉପସ୍ଥିତ ଲୋକ ସ୍ତବ୍ଧ ହୋଇଥିଲେ।
ରିପୋର୍ଟ ଅନୁସାରେ ଏହି ସ୍ୱାମୀ, ସ୍ତ୍ରୀଙ୍କ ଘର ମହାରାଷ୍ଟ୍ରରେ। ରୋଜଗାର ସନ୍ଧାନରେ ଦୀପକ ଓ ଜ୍ୟୋତି ଉତ୍ତରପ୍ରଦେଶ ଆସିଥିଲେ। ଦେଢ଼ମାସ ପୂର୍ବରୁ ଏକ ଦୁର୍ଘଟଣାରେ ଦୀପକଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିଲା। ଏବେ ତାଙ୍କ ଗୋଡ଼ର ପ୍ଲାଷ୍ଟର ଖୋଲିଥିଲେ ମଧ୍ୟ ସେ ଚାଲିବାକୁ ସକ୍ଷମ ନାହାନ୍ତି। ଫଳରେ ତାଙ୍କର ଏକମାତ୍ର ସାହାରା ପାଲିଟିଛନ୍ତି ତାଙ୍କ ସ୍ତ୍ରୀ ଜ୍ୟୋତି। ଜ୍ୟୋତି ମଧ୍ୟ ତାଙ୍କ ପତ୍ନୀ ଧର୍ମ ନିଭାଇବାରେ କୌଣସି ହେଳା କରିନାହାନ୍ତି। ସ୍ୱାମୀ ଚାଲିବାକୁ ଅକ୍ଷମ ଥିବାରୁ ସେ ତାଙ୍କୁ ନିଜ ପିଠିରେ ଲଦି ଷ୍ଟେସନ ପର୍ଯ୍ୟନ୍ତ ଆଣି ଏବେ ଚର୍ଚ୍ଚାକୁ ଆସିଛନ୍ତି।
ମଙ୍ଗଳବାର ଷ୍ଟେସନରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଉଭୟ ପୁଷ୍ପକ ଏକ୍ସପ୍ରେସରେ ମହାରାଷ୍ଟ୍ର ଆସିଛନ୍ତି।