ଓଡ଼ିଶାଲାଇଭ ବ୍ୟୁରୋ
୨୦୧୮ ରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଜନ୍ମ ହୋଇଥିଲା ୫୦୫ ଗ୍ରାମର ଏକ ଶିଶୁ। ଏତେ କମ୍ ଓଜନ ନେଇ ଜନ୍ମ ହୋଇଥିବାରୁ ଶିଶୁକୁ ନେଇ ଆଶଙ୍କାରେ ଥିଲେ ସମ୍ ଡାକ୍ତର। ପିଲାଟିର ଚିକିତ୍ସା ପାଇଁ ଡାକ୍ତର ଆପ୍ରାଣ ଚେଷ୍ଟା କରିଥିଲେ। ଶେଷରେ ଡାକ୍ତର ତାଙ୍କ ଚେଷ୍ଟାରେ ସଫଳ ହୋଇଛନ୍ତି। ପିଲାଟିକୁ ବର୍ତମାନ ଦୁଇ ବର୍ଷ ପୂରିଥିବା ବେଳେ ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ଓଡ଼ିଶାରେ ଏତେ କମ୍ ଓଜନ ନେଇ ଜନ୍ମ ଗ୍ରହଣ କରିଥିବା ଶିଶୁ ସୁସ୍ଥ ହେବା ପ୍ରଥମ ଏବଂ ଏକ ଅସାଧାରଣ ଘଟଣା। ଶିଶୁଟିର ପିତାମାତାଙ୍କ ବିବାହର ୧୬ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା। ବିଭିନ୍ନ ଶାରୀରିକ ସମସ୍ୟା ନେଇ ଅସୁସ୍ଥ ଥିବା ଅନୁସୂୟାଙ୍କର ପୂର୍ବରୁ ୫ଟି ଗର୍ଭ ନଷ୍ଟ ହୋଇଥିଲା। ଗର୍ଭଧାରଣର ମାତ୍ର ୨୫ ସପ୍ତାହରେ ଜନ୍ମ ଗ୍ରହଣ କରିଥିଲା ଝିଅ ସାଇ ସମ୍ପୂର୍ଣ୍ଣା ଦାସ। ତେବେ କୁନି ଝିଅଟିର ଓଜନ ମାତ୍ର ୫୦୫ ଗ୍ରାମ ଥିବାରୁ ଏହା ଡାକ୍ତରମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା।
ଜନ୍ମ ପରେ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ଶିଶୁ କନ୍ୟାଟିର ଚିକିତ୍ସା ଓ ଯତ୍ନ ନେବା ଆରମ୍ଭ କରିଥିଲେ। ଦୀର୍ଘ ୬ ମାସ ଏନ୍ଆଇସିୟୁରେ ଭେଂଟିଲେଟରରେ ରହିଥିଲା ଶିଶୁ କନ୍ୟାଟି। ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡାକ୍ତର ଜଗଦୀଶ ପ୍ରସାଦ ସାହୁଙ୍କ ସମେତ ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ରତନ ଦାସ, ଡାକ୍ତର ଭଗୀରଥି ମଲ୍ଲିକ, ଡାକ୍ତର ରୋଜାଲିନ୍ ରାଉତ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ବିନୀତ ପାଣିଗ୍ରାହୀ ଏବଂ ନର୍ସିଂ ଷ୍ଟାଫ ଦୀପ୍ତି, ବିଷ୍ଣୁ, କବିତା ଓ ମଧୁ। ସେମାନଙ୍କର ଉଦ୍ୟମ ଓ ଉତ୍ତମ ଚିକିତ୍ସା ଫଳରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଥିଲା।
“ଏତେ କମ୍ ଓଜନର ଶିଶୁ ଜନ୍ମ ହେବା ମୁଁ କେବେ ଦେଖି ନଥିଲି ଏବଂ ଓଡ଼ିଶାରେ ଜନ୍ମ ଲାଭ କରିଥିବା ଶିଶୁମାନଙ୍କ ମଧ୍ୟରେ ଏହି ଶିଶୁଟି ସର୍ବ ନିମ୍ନ ଓଜନର ଥିଲା’’, କହିଛନ୍ତି ଡାକ୍ତର ସାହୁ ।
ସାଧରଣତଃ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ କମ୍ ଓଜନ ନେଇ ଜନ୍ମ ନେଇଥିବା ଶିଶୁମାନଙ୍କର ଶାରୀରିକ ସମେତ ମାନସିକ ବିକାଶ ଠିକ୍ ଭାବେ ହୋଇନଥାଏ। ତେବେ ଶିଶୁଟିକୁ ବର୍ତମାନ ଦୁଇ ବର୍ଷ ପୂରିଥିବା ବେଳେ ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ। ଏପରିକି ଗତ ଦୁଇ ବର୍ଷ ଧରି ସମ୍ ହସ୍ପିଟାଲ୍ରେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ପକ୍ଷରୁ ତା’ର ଜନ୍ମଦିନ ମଧ୍ୟ ପାଳନ କରାଯାଉଛି।

















