ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରୁଛନ୍ତି। କରୋନା ଲକ୍ଷଣ ଖୋଜିବା ପାଇଁ ଆଶା ଏବଂ ଏଏନ୍ଏମ୍ କର୍ମୀ ଘର ଘର ବୁଲି ସର୍ଭେ କରିବେ। ଏହି ଅଭିଯାନ ୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ।
ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ରୋଗିବା ପାଇଁ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଭିଯାନ ଶୁଭାରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ମୁତାବକ ଆସନ୍ତାକାଲିଠୁ ଅଭିଯାନ ଆରମ୍ଭ ହେଉଛି।
ଗ୍ରାମାଞ୍ଚଳର ସବୁ ଘର ଏବଂ ସହରାଞ୍ଚଳର ସବୁ ବସ୍ତିରେ ଏହି ସର୍ଭେ କରାଯିବ। କରୋନା ଲକ୍ଷଣ ଦେଖାଗଲେ ସେମାନଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ଆଣି ଚିକିତ୍ସା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।
ସାରା ରାଜ୍ୟକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଜୁନ୍ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରତି ଶନି ଏବଂ ରବିବାର ୧୧ଟି ଜିଲ୍ଲା ସଟ୍ଡାଉନ୍ କରାଯାଉଛି। ଏହାସହ ରାତି ୭ଟାରୁ ଭୋର୍ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହୁଛି। ଆସନ୍ତା ୪ରୁ ୬ ସପ୍ତାହ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଘର ଘର ବୁଲି କରୋନା ଲକ୍ଷଣ ଖୋଜିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।


















