ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ ଅବସ୍ଥାରେ ଅଣସର ଘରେ ରହିଛନ୍ତି। ମହାପ୍ରଭୁଙ୍କୁ ଜ୍ୱରରୁ ସୁସ୍ଥ କରିବା ପାଇଁ ଦଇତାପତି ସେବକମାନେ ଅନେକ ପ୍ରକାରର ପନ୍ଥା ଆପଣାଉଛନ୍ତି। ଏହିକ୍ରମରେ ମଙ୍ଗଳବାର ଦଶମୀ ତିଥିରେ ମହାପ୍ରଭୁଙ୍କୁ ଦଶମୂଳ ଓଷ ଲାଗି କରାଯିବ।
ଆଜି ରାଜବୈଦ୍ୟଙ୍କ ଘରୁ ଏହି ଦଶମୂଳ ଆସିବା ପରେ ଏହାକୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ। ଏହାପରେ ଅସୁସ୍ଥ ହୋଇ ପଡ଼ିଥିବା ମହାପ୍ରଭୁ କିଛି ପରିମାଣରେ ଆରୋଗ୍ୟ ଲାଭ କରିବେ।
ମହାପ୍ରଭୁଙ୍କ ଗୁପ୍ତନୀତିର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହୋଇଥିଲା। ଏଥିରେ ମହାପ୍ରୁଭୁ ଅଳ୍ପ ପରିମାଣରେ ସୁସ୍ଥ ହୋଇଥିଲେ। ଏହାପରେ ଲଗାତାର ତିନି ଦିନ ଧରି ମହାପ୍ରଭୁଙ୍କ ଶରୀରରେ ଓଷଲାଗି ହେଉଥିଲା। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଖରେ ଦଶମୂଳ ଲାଗି ହେବ।
ଦଶମୂଳ ଲାଗି ହେବା ପରେ ମହାପ୍ରଭୁଙ୍କ ଘଣାଲାଗି ଓ ଖଳିଲାଗି ନୀତି ସମ୍ପନ୍ନ ହେବ। ଏହାପରେ ମହାପ୍ରଭୁ ସୁସ୍ଥ ହେବା ପରେ ତାଙ୍କ ପାଖରେ ତୁଳସୀ ପତ୍ର ଲାଗି ହେବ ବୋଲି କୁହାଯାଇଛି।
ଅଣସର ଘରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ତେବେ ଚଳିତବର୍ଷ କରୋନା କାରଣରୁ ରଥଯାତ୍ରା ଆୟୋଜନ ନେଇ ଏବେ ବି ଆଶା ଆଶଙ୍କା ରହିଛି। ଏନେଇ ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିସାରିଲାଣି।
















