ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କରାଳ ରୂପ ଧାରଣ କରୁଥିବା ବେଳେ ବିଧାନସଭାର ମୌସୁମୀ ଅଧିବେଶନ ହେବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାଧାରଣତଃ ଜୁଲାଇ ମାସରେ ବର୍ଷାକାଳୀନ ଅଧିବେଶନ ବସିଥାଏ। ଆଗରୁ ଅନୁମାନ କରାଯାଉଥିଲା ଯେ, ସାମାଜିକ ଦୂରତାକୁ ଆଖି ଆଗରେ ରଖି ଏବଂ କରୋନା ଗାଇଡଲାଇନକୁ ମାନି ବିଧାନସଭା ଅଧିବେଶନ ଆରମ୍ଭ ହୋଇପାରେ। କିନ୍ତୁ ଯାହା ଖବର ଆସୁଛି ବର୍ତ୍ତମାନର ସଙ୍ଗୀନ ପରିସ୍ଥିତି ଦୃଷ୍ଟିରୁ ବିଧାନସଭା ଡାକିବା ଠିକ୍ ହେବ ନାହିଁ। ତେବେ ଯଦି ବି ଅଧିବେଶନ ବସିବା ନିହାତି ଦରକାର ହୁଏ, ଦୁଇ ତିନି ଦିନ ପାଇଁ ମାତ୍ର ଏହା ବସିବ।
କରୋନା ଯୋଗୁଁ ଇତି ମଧ୍ୟରେ ବିଧାନସଭାର ବିଭିନ୍ନ କମିଟି ବୈଠକ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ଜୁନ ୧୦ ପରେ ଏହି କମିଟି ସବୁ ବସିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଜୁନ ୨ ତାରିଖରେ ଚିଠି ଲେଖି ଜଣାଇଥିଲେ ଯେ, ୧୦ ତାରିଖରେ ସମସ୍ତ କମିଟି ବୈଠକ ହେବ। ଲୋକସଭା କାର୍ଯ୍ୟାଳୟ ପରାମର୍ଶ କ୍ରମେ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା।















