ଓଡିଶାଲାଇଭ୍ ବ୍ୟୁରୋ
ଜଣେ ରୋଗୀକୁ ଯଦି ଆପଣ ସହାନୁଭୂତି ଜଣାଉ ନାହାନ୍ତି, ତାହାଲେ ଚୁପ୍ ରହନ୍ତୁ। ଗୁଜବ କରନ୍ତୁ ନାହିଁ। କରୋନାରୁ ସୁସ୍ଥ ହୋଇଥିବା ଯୁବକ ନିଜର ଅନୁଭୂତି ବର୍ଣ୍ଣନା କରି ଏହା କହିଛନ୍ତି।
‘‘ମୁଁ ଯେତେବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲି ସେତେବେଳେ କିଛି ଶିକ୍ଷିତ ପିଲାମାନେ ମୋ’ ନାଁରେ ଗୁଜବ କରୁଥିଲେ। ସୋସିଆଲ ମିଡିଆରେ ବିଭିନ୍ନ କମେଣ୍ଟ ଦେଉଥିଲେ। ଏହା ଦେଖି ମତେ ବହୁତ ବାଧୁଥିଲା। ଜଣେ ରୋଗୀକୁ ଯଦି କେହି ସହାନୁଭୂତି ଦେଖାଉ ନାହାନ୍ତି ତାହାଲେ ତାଙ୍କୁ ନେଇ ଗୁଜବ କରିବା ଠିକ୍ ନୁହେଁ’’, ଏହା କହିଛନ୍ତି ସଂପୃକ୍ତ ଯୁବକ।
ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲିରୁ ଭାୟା ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ଆସିଥିବା ଜଣେ ଯୁବକଙ୍କଠାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।ୟୁନିସେଫ୍ ସହାୟତାରେ ଅଗ୍ରଣୀ ନ୍ୟୁଜ୍ ପୋଟାଲ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଡିଜିଟାଲ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ର ମିଳିତ କାର୍ଯ୍ୟକ୍ରମ ରେଡିଓ ଧାରାବାହିକ ‘କେତେ ନୂଆବାଟ’ କାର୍ଯ୍ୟକ୍ରମରେ ଭାଗନେଇ ସଂପୃକ୍ତ ଯୁବକ ତାଙ୍କ ଅନୁଭୂତି ବର୍ଣ୍ଣନା କରିଛନ୍ତି।
ନିଜକୁ ଦୋଷୀ ମନେକରୁଥିଲି
‘‘ଯେତେବେଳେ ମତେ କରୋନା ହୋଇଛି ବୋଲି ଜଣାପଡ଼ିଥିଲା ସେତେବେଳେ ମୁଁ ଡରି ଯାଇଥିଲି। କାରଣ କରୋନା ବାବଦରେ ମୁଁ ଶୁଣିଥିଲି। ହେଲେ ମତେ କରୋନା ହେବ ବୋଲି ମୁଁ କେବେ ଭାବି ନଥିଲି। ସେତେବେଳେ ମୋ’ ମନରେ ଅନେକ ପ୍ରଶ୍ନ ଉଠିଥିଲା। ମୁଁ କରୋନାର କେଉଁ ଷ୍ଟେଜରେ ଅଛି ଏବଂ କାହାକୁ ସଂକ୍ରମିତ କରିଛି? ଏହାକୁ ନେଇ ମୁଁ ମୋ ନିଜକୁ ଦୋଷୀ ଭାବୁଥିଲି। ହେଲେ ଡାକ୍ତର ମତେ ନଡରିବାକୁ ପରାମର୍ଶ ଦେଇଥିଲେ। ସକରାତ୍ମକ ମନୋଭାବ ନେଇ ମୁଁ ରହିଥିଲି। ଏହା ମତେ କରୋନା ସହ ଲଢ଼ିବା ପାଇଁ ବଳ ଦେଇଥିଲା’’, କହିଛନ୍ତି କରୋନାରୁ ସୁସ୍ଥ ହୋଇଥିବା ଯୁବକ।
ମୋ’ ପାଖରେ କରୋନାର କୌଣସି ଲକ୍ଷଣ ନଥିଲା
ନିଜର ଅନୁଭୂତି ବର୍ଣ୍ଣନା କରି ସେ କହିଛନ୍ତି ଯେ, ‘‘ମୁଁ ଇଟାଲିରେ ଥିବା ବେଳେ କରୋନାର କୌଣସି ଲକ୍ଷଣ ମୋ’ ପାଖରେ ଦେଖିବାକୁ ମିଳି ନଥିଲା। ଜ୍ୱର, କାଶ, ଥଣ୍ଡା, ଛିଙ୍କ ଆଦି କରୋନାର ଲକ୍ଷଣ ବୋଲି ମୁଁ ଜାଣିଥିଲି। ହେଲେ ଏସବୁ କିଛି ବି ମୋ’ ପାଖରେ ନଥିଲା। ଦିଲ୍ଲୀ ବିମାନ ବନ୍ଦରରେ ମୋର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସେତେବେଳେ ମୁଁ ସୁସ୍ଥ ଥିଲି। ୧୪ ତାରିଖରେ ହିଁ ମୋ ପାଖରେ କିଛି କିଛି ଲକ୍ଷଣ ଦେଖାଗଲା। ଯାତ୍ରା ସମୟରେ ହିଁ ମୁଁ ସଂକ୍ରମିତ ହୋଇଥିବା ଭାବୁଛି। ଏଣୁ କେହି କୁଆଡ଼େ ଯାତ୍ରା କରନ୍ତୁ ନାହିଁ।’’
ଗୁଜବ କରନ୍ତୁ ନାହିଁ
‘‘ରୋଗୀକୁ ତାର ରୋଗ ଯେତିକି କଷ୍ଟ ଦେଇ ନଥାଏ ତାଠୁ ଅଧିକ କଷ୍ଟ ଦେଇଥାଏ ମିଥ୍ୟା ଗୁଜବ। ରୋଗୀ ସମ୍ପର୍କରେ ମିଥ୍ୟା ଗୁଜବ ସୃଷ୍ଟି କରି ତାର ମନୋବଳ ହ୍ରାସ କରନ୍ତୁ ନାହିଁ’’
ଓଡ଼ିଶାର ପ୍ରଥମ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ତାଙ୍କୁନେଇ ସୋସିଆଲ ମିଡିଆରେ ମିଛ ଗୁଜବ ପ୍ରଚାର ହେଉଥିଲା। କିଛି ଲୋକ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବାକୁ ପଛାଇ ନଥିଲେ। ଯଦି ଆମେ କାହାକୁ ସହାନୁଭୂତି ଦେଇ ପାରିବା ନାହିଁ ତାହାଲେ ମିଛ ଗୁଜବ ପ୍ରଚାର କରି କାହାର ମନୋବଳ ହ୍ରାସ କରିବା ବି ଠିକ୍ ନୁହେଁ।
ଡାକ୍ତରଙ୍କୁ ଧନ୍ୟବାଦ
‘‘କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି। ମୁଁ ପ୍ରଥମ କରୋନା ରୋଗୀ ହୋଇଥିବାରୁ ସେମାନେ ମତେ ଭଲଭାବେ ଚିକିତ୍ସା କରିଥିଲେ। ଖାଇବା ପିଇବାଠାରୁ ଆରମ୍ଭ କରି ଔଷଧ ଖାଇବା ପର୍ଯ୍ୟନ୍ତ ସବୁକଥା ବୁଝୁଥିଲେ। ଏମାନଙ୍କ ପାଇଁ ମୁଁ ସୁସ୍ଥ ହୋଇ ଫେରିଛି।’’
ରୋଗକୁ ଘୃଣା କରିବା ରୋଗୀକୁ ନୁହଁ
ରୋଗୀଙ୍କୁ ଘୃଣା ନକରିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି କରୋନାରୁ ସୁସ୍ଥ ହୋଇଥିବା ରୋଗୀ। ରୋଗୀଙ୍କ ପ୍ରତି ସମସ୍ତଙ୍କର ସଦଭାବନା ରହିବା ଦରକାର। ସେ ଯେମିତି ଆକ୍ଷେପର ଶୀକାର ହୋଇଥିଲେ ଅନ୍ୟ କେହି ନହୁଅନ୍ତୁ ବୋଲି ସେ କହିଛନ୍ତି।
‘‘କୋଭିଡ୍ ସମ୍ପର୍କରେ ସମସ୍ତେ ତଥ୍ୟ ଆହରଣ କରିବା ଦରକାର। କୋଭିଡ୍ ରୋଗକୁ ସମସ୍ତେ ବୁଝିବା ଦରକାର। ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ନେବା ନିହାତି ଦରକାର। ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତା ରକ୍ଷା କରିବା ଦରକାର’’, କହିଛନ୍ତି ସଂପୃକ୍ତ ଯୁବକ।


















