ଓଡ଼ିଶାଲାଇଭ୍ ବ୍ୟୁରୋ

- ରଥଯାତ୍ରାକୁ ନେଇ ମତ ରଖିଲେ ପୁରୀ ଶଙ୍କରାଚାର୍ଯ୍ୟ
- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ – ଶଙ୍କରାଚାର୍ଯ୍ୟ
- ତଥାପି ସେବାୟତ, ପୋଲିସଙ୍କୁ ନେଇ ରଥଯାତ୍ରା ହୋଇପାରିବ
“କରୋନା ମହାସଙ୍କଟ ପାଇଁ ରଥଯାତ୍ରାକୁ ବନ୍ଦ କରିବା ନିଷ୍ପତ୍ତି ନିଶ୍ଚିତପକ୍ଷେ ସ୍ୱାଗତଯୋଗ୍ୟ। ହେଲେ ଅତାବଶ୍ୟକ ସ୍ଥିତିରେ କମ୍ ସେବାୟତ ଓ ପୋଲିସ କର୍ମୀଙ୍କୁ ନେଇ ରଥଯାତ୍ରା ଆୟୋଜନ ହୋଇପାରିବ”, ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ହେଲେ ଯାନ୍ତ୍ରିକ ସୁବିଧା ମାଧ୍ୟମରେ ଭକ୍ତମାନେ ସେମାନଙ୍କର ଭଗବାନଙ୍କୁ ରଥ ଉପରେ ଦର୍ଶନ କରିପାରିବେ। ଯାହା ଫଳରେ ଶୋକସନ୍ତପ ଜଗନ୍ନାଥପ୍ରେମୀଙ୍କ ମନରେ ଆନନ୍ଦ ଖେଳିପାରିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ରଥଯାତ୍ରା ବନ୍ଦ ହେଲେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି କରାଯିବ ସେନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ତେବେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ବନ୍ଧରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ାଯିବ ବୋଲି ମଧ୍ୟ କୁହାଯାଉଛି।
କରୋନା ସଂକ୍ରମଣ ପାଇଁ ଗତକାଲି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେତେକ ଏହାକୁ ବିରୋଧ କରୁଥିବାବେଳେ କେତେକ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତେବେ ରଥଯାତ୍ରା ନହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ହେବ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
















