ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ସୁପ୍ରିମକୋର୍ଟକୁ ଗଲା ରଥଯାତ୍ରା ପ୍ରସଙ୍ଗ। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେଥିରେ ଆଂଶିକ ପରିବର୍ତ୍ତନ କରିବାକୁ ଆଉ ଏକ ପିଟିସନ ଦାଖଲ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର। ସେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ, କେବଳ ପୁରୀରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦିଆଯାଉ।

ଏଥର ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଗତକାଲି ଏକ ଜନସ୍ୱାର୍ଥ ମାମଲାର ବିଚାର କରି ନିର୍ଦ୍ଦେଶ ଦେଇଥିଲେ। କରୋନା ସଙ୍କଟ ବେଳେ ରଥଯାତ୍ରା ଆୟୋଜନ କରିବା ଠିକ୍‌ ନୁହେଁ ବୋଲି ଓଡ଼ିଶା ବିକାଶ ପରିଷଦ ଆବେଦନ କରିଥିଲା। ଏହି ଆବେଦନକୁ ଗ୍ରହଣ କରି ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶନାମାକୁ ୨୪ ଘଣ୍ଟା ନପୂରୁଣୁ ଆଉ ଏକ ପିଟିସନ ଦାଖଲ ହୋଇଛି। ଏଥିରେ ଆବେଦନକାରୀ କହିଛନ୍ତି ଯେ, ସାମାଜିକ ଦୂରତା ରକ୍ଷା କରାଯାଇ ସେବାୟତମାନଙ୍କୁ ନେଇ ରଥଯାତ୍ରା ଆୟୋଜନ କରାଯାଉ।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରାୟ ୮୦୦ ସେବାୟତଙ୍କର କରୋନା ନମୁନା ପରୀକ୍ଷା ହୋଇଥିଲା। ଏହି ସେବାୟତମାନଙ୍କୁ ରଥଯାତ୍ରା ପ୍ରକ୍ରିୟାରେ ସାମିଲ କରାଯାଉ। ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରାଯାଉ।

Comment