ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାରତରେ ତାର କାୟା ମେଲାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। କରୋନାରେ ଆଜି ଜଣେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀର ଶିମିଳିପୁର ପଞ୍ଚାୟତରେ। ତାଙ୍କ ସ୍ତ୍ରୀ ଏବଂ ଛୁଆ ମଧ୍ୟ କରୋନା ଆକ୍ରାନ୍ତ ହୋଇ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଡାକ୍ତର ଅଶ୍ୱିନୀ ପ୍ରତାପ ୨୦୦୫ରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରୁ ଏମବିବିଏସ୍ ପାସ୍ କରିଥିଲେ। ସେ ନ୍ୟାସନାଲ ହେଲ୍ଥ ରିସୋର୍ସ ସିଷ୍ଟମ ସେଣ୍ଟର, ନୂଆଦିଲ୍ଲୀରେ ସିନିୟର କନସଲଟାଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ଗତ ୨୦ ତାରିଖରେ ସେ କରୋନା ଚିହ୍ନଟ ହେବା ପରେ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଡାକ୍ତର ଅଶ୍ୱିନୀର କରୋନା ଚିହ୍ନଟ ହେବା ପରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ଓଡ଼ିଶା ପଠାଇ ଦିଆଯାଇଥିଲା। ହେଲେ ଦୁଃଖର ବିଷୟ ସେମାନଙ୍କ ନମୁନା ବି କରୋନା ପଜିଟିଭ୍ ଆସିଛି। ଡାକ୍ତର ଅଶ୍ୱିନୀଙ୍କ ମୃତ୍ୟୁ କରୋନା ଯୋଗୁଁ ହୋଇଥିବାରୁ ତାଙ୍କ ମୃତଦେହ ଓଡ଼ିଶା ଆସିପାରିବନି। ପରିବାରବର୍ଗଙ୍କ ଅନୁମତି କ୍ରମେ ନଗର ନିଗମ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।


















