ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଯାତ୍ରା ପାଇଁ ଆଜି ବଡ଼ଦାଣ୍ଡରେ ଗହଳିଚହଳି। ଭକ୍ତ ନଥିଲେ ମଧ୍ୟ ସେବାୟତଙ୍କ ମଧ୍ୟରେ ପାଳନ ହେଉଛି ରଥଯାତ୍ରା। ଏହାରି ମଧ୍ୟରେ ତିନି ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

ସକାଳ ୭ଟାରୁ ଆଜି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ସେବାୟତମାନେ ପହଣ୍ଡି ଆଣି ଦେବଦଳନ ରଥରେ ବିଜେ କରାଇଥିଲେ। ପରେ ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଟାହିଆ ହଲାଇ ଝୁଲିଝୁଲି ରଥ ଉପରେ ବିଜେ କରିଛନ୍ତି।ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଆଣି ବର୍ତ୍ତମାନ ରଥ ଉପରେ ବିଜେ କରାଇଛନ୍ତି। ଦିନ ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଚାରିଠାକୁରଙ୍କ ପହଣ୍ଡି ଶେଷ ହୋଇଛି।

ପହଣ୍ଡି ଶେଷହେବା ପରେ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ଶେଷ କରାଯିବ। ଦିନ ୧୧.୩୦ଟାରୁ ୧୧.୪୫ ଭିତରେ ଛେରାପହଁରା ନୀତି ସମ୍ପନ୍ନ କରାଯିବ। ଶେଷରେ ଦିନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଚଳିତବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ପୂରା ପୁରୀ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରାଯାଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କରାଯାଉଛି। ତେଣୁ ଏଥର ପୁରୀରେ ଭକ୍ତମାନେ ନିଜ ଭଗବାନଙ୍କୁ ସିଧାସଳଖ ଦର୍ଶନ କରିପାରୁନାହାନ୍ତି। ଟେଲିଭିଜନ ଓ ଡିଜିଟାଲ ମିଡିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରାଯାଉଛି।

Comment