ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୋ’ ସରକାର ଓ ୫ଟି ଯୋଜନାର ଲକ୍ଷ୍ୟ ପୂରଣ ପାଇଁ ‘କଲ୍‌ ସେଣ୍ଟର’
  • ସୁନ୍ଦରଗଡ଼ ଜିଲ୍ଲାପାଳ କଲେ ଲୋକାର୍ପଣ
  • କଲ୍‌ ସେଣ୍ଟରକୁ ମାଗଣାରେ କଲ୍‌ କରିପାରିବେ ଲୋକେ
  • ଟୋଲ ଫ୍ରି ନମ୍ବର ୯୧୧୧୪୧୧୮୨୧୩୮
  • ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ କଲ୍‌ ସେଣ୍ଟର
  • ୨୪ ଘଣ୍ଟିଆ ସେବା ଖୁବ୍‌ଶୀଘ୍ର
  • ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହଯୋଗ

ମୋ’ ସରକାର ଏବଂ ୫ଟି ଯୋଜନାର ଲକ୍ଷ୍ୟ ପୂରଣ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଗୁରୁବାର ଏକ ‘କଲ୍‌ ସେଣ୍ଟର’ ଲୋକାର୍ପିତ ହୋଇଛି। ଏହାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକାର୍ପଣ କରିଛନ୍ତି। ବିଭିନ୍ନ ସରକାରୀ ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ଏହି କଲ୍‌ ସେଣ୍ଟର ଖୋଲାଯାଇଛି।

ବିଭିନ୍ନ ସରକାରୀ ଯୋଜନା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ଏବଂ ଲୋକେ ଏହାକୁ କେମିତି ଗ୍ରହଣ କରୁଛନ୍ତି ଏହି କଲ୍‌ ସେଣ୍ଟର ଜରିଆରେ ଜିଲ୍ଲା ପ୍ରଶାସନ ସମସ୍ତ ତଥ୍ୟ ରଖିବ। ଏହାସହ ଲୋକମାନଙ୍କୁ ଜରୁରୀ ସେବା ପ୍ରଦାନରେ ଏହା ସହାୟକ ହୋଇପାରିବ।

ଏହି କଲ୍‌ ସେଣ୍ଟର ସ୍ଥାପନ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନେ ଏହି କଲ୍‌ ସେଣ୍ଟରକୁ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋଲ ଫ୍ରି ନମ୍ବର ନମ୍ବରର ବ୍ୟବସ୍ଥା କରାଯାଇଛି। ଟୋଲ ଫ୍ରି ନମ୍ବର ୯୧୧୧୪୧୧୮୨୧୩୮ରେ ଲୋକମାନେ କଲ୍‌ କରିପାରିବେ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଲ୍‌ ସେଣ୍ଟର କାର୍ଯ୍ୟକ୍ଷମ କରିବ। ଖୁବ୍‌ଶୀଘ୍ର ଏହି କଲ୍‌ ସେଣ୍ଟର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କଲ୍‌ ସେଣ୍ଟର ଜରିଆରେ ଅଫିସରେ ଥିବା କର୍ମଚାରୀ ଏବଂ ଫିଲ୍ଡରେ ଥିବା କର୍ମଚାରୀଙ୍କ ଭିତରେ ସମନ୍ୱୟ ରକ୍ଷା କରାଯିବ। ଲୋକମାନଙ୍କ ପାଖରେ ସରକାରୀ ଯୋଜନା ଠିକ୍‌ ଭାବେ ପହଞ୍ଚୁଛି ନା ନାହିଁ ତାର ତଦାରଖ କରାଯିବ।

କଲ୍‌, ଏସ୍‌ଏମ୍‌ଏସ୍‌, ଭଏସ୍‌ ମେସେଜ ଏବଂ ଇମେଲ ଜରିଆରେ ହିତାଧିକାରୀମାନେ ନିଜର ଅଭିଯୋଗ ଜଣାଇପାରିବେ। ଜିଲ୍ଲା ପ୍ରଶାସନ ଏହାକୁ ଗ୍ରହଣ କରି ଅଭିଯୋଗ ସମାଧାନ ପାଇଁ ପଦକ୍ଷେପ ନେବ। ସ୍ୱାସ୍ଥ୍ୟସେବା, ମା’ ଓ ଶିଶୁଙ୍କ ଯତ୍ନ, ଜୀବିକା, ଗ୍ରାମାଞ୍ଚଳ ଗୃହ, ଭତ୍ତା ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ଯୋଜନାରେ ଦେଖାଦେଉଥିବା ସମସ୍ୟାର ସମାଧାନ କରାଯିବ।

Comment