ଓଡ଼ିଶାଲାଇଭ୍ ବ୍ୟୁରୋ
କୋର୍ଟ ରୁମ୍ ବାହାରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କର ଏକ ନୂଆ ଅବତାର ଦେଖିବାକୁ ପାଇଛନ୍ତି ଲୋକେ। ବୋବଡେ ଆମେରିକୀୟ ବାଇକ୍ କମ୍ପାନି ହାର୍ଲି ଡେଭିଡସନର ଏକ ଚମତ୍କାର ବାଇକରେ ବସିଥିବାର ନଜର ଆସିଛନ୍ତି। ବୋବଡେଙ୍କର ଏହି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଏହି ଫଟୋରେ ଜଷ୍ଟିସ ବୋବଡେ ଏହି ସୁପର ବାଇକରେ ବସି କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।
ହାର୍ଲି ଡେଭିଡସନ ଦୁନିଆର ସବୁଠୁ ସର୍ବୋତ୍ତମ ବାଇକ୍ ନିର୍ମାଣ କରୁଥିବା କମ୍ପାନି। ଏହି କମ୍ପାନୀର ବାଇକ୍ ମୂଲ୍ୟ ୩୦ ଲକ୍ଷରୁ ୫୦ ଲକ୍ଷ ଟଙ୍କା।
ହାର୍ଲି ଡେଭିଡସନର ଏହି ବାଇକ୍ ପ୍ରଧାନ ବିଚାରପତି ବୋବଡେଙ୍କର ନୁହେଁ। ପ୍ରଧାନ ବିଚାରପତିଙ୍କ ଏହି ଫଟୋ ନାଗପୁରରେ ନିଆଯାଇଛି। କରୋନା ସଂକ୍ରମଣ ହେତୁ ପ୍ରଧାନ ବିଚାରପତି ଗତ କିଛି ଦିନ ନାଗପୁରରେ ଅଛନ୍ତି। ଏଠାରେ ତାଙ୍କର ବାସସ୍ଥାନ ଅଛି । ଏହି ବାଇକ୍ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ପୁଅଙ୍କର ବୋଲି ଜଣାପଡ଼ିଛି।
ବୋବଡେ ମଧ୍ୟ ବାଇକକୁ ଖୁବ୍ ପସନ୍ଦ କରନ୍ତି। ବାଇକ୍ ଚଲାଇବା ହେଉଛି ତାଙ୍କର ପ୍ରିୟ ହବି ବୋଲି ସେ ଥରେ ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ।










