ଓଡିଶାଲାଇଭ୍ ବ୍ୟୁରୋ

ଦୁନିଆରେ କୋଟି କୋଟି ଟଙ୍କାର ଘର, କାର୍ କିମ୍ବା ଅନ୍ୟାନ୍ୟ ଦାମୀ ଜିନିଷ କଥା ତ ଶୁଣିଥିବେ। କିନ୍ତୁ କେବେ ୪୫ କୋଟି ଟଙ୍କାର ଗିଟାର କଥା ଶୁଣିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଗିଟାର ବିଷୟରେ କୁହାଯାଉଛି, ଯାହାର ଦାମ୍ ଶୁଣିଲେ ଆପଣ ଚମକିପଡ଼ିବେ।

ଏହି ଗିଟାର ଏତେ ମହଙ୍ଗା କାହିଁକି…

ଏହି ଗିଟାରଟି ହେଉଛି ଆମେରେକୀୟ ଗାୟକ ତଥା ଦୁନିଆର ପ୍ରସିଦ୍ଧ ଗିଟାର ବାଦକ କୁର୍ଟ କୋବେନଙ୍କର। ୧୯୯୪ ମସିହା ଅପ୍ରେଲ ୫ ତାରିଖରେ କୋବେନଙ୍କ ମୃତ୍ୟୁ ପରେ ଗିଟାରଟିକୁ ନିଲାମ କରାଯାଇଥିଲା। ଏହି ସମୟରେ ଗିଟାରଟି ପାଖାପାଖି ୬ ଲକ୍ଷ ଡଲାର ଅର୍ଥାତ୍ ୪୫ କୋଟି ଟଙ୍କାରେ ନିଲାମ ହୋଇଥିଲା।

ମାର୍ଟିନ ଡି-୧୮ଇ ଅକୁଷ୍ଟିକ ମଡେଲବିଶିଷ୍ଟ ଏହି ଗିଟାରଟିର ନିଲାମ ପ୍ରକ୍ରିୟା ୧୦ ଲକ୍ଷ ଡଲାର ଅର୍ଥାତ୍ ୭ କୋଟି ୫୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା, ଯାହାକି ଶେଷରେ ୪୫ କୋଟି ୩୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଏଥିସହିତ ଗିଟାରଟି ଦୁନିଆର ସବୁଠୁ ଦାମୀ ଗିଟାରର ମାନ୍ୟତା ପାଇଥିଲା। ଗିଟାରଟିକୁ ଅଷ୍ଟ୍ରେଲିଆର ରୋଡ୍ସ ମାଇକ୍ରୋଫୋନ କମ୍ପାନିର ମାଲିକ ପିଟର ଫ୍ରିଡମେନ କିଣିଥିଲେ।

ମୃତ୍ୟୁର ପାଞ୍ଚ ମାସ ପୂର୍ବରୁ ଅର୍ଥାତ୍ ୧୮ ନଭେମ୍ବର ୧୯୯୩ ରେ କୋବେନ ଏମଟିଭିର ଏକ ଲାଇଭ୍ ପ୍ରୋଗ୍ରାମରେ ଏହି ଗିଟାର ସହିତ ପରଫର୍ମ କରିଥିଲେ। ତାଙ୍କର ଏହି ଭିଡିଓ ଏବେ ବି ୟୁଟ୍ୟୁବରେ ଉପଲବ୍ଧ ଅଛି। ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩୦ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

କୁହାଯାଏ ଯେ, ସାରା ବିଶ୍ଵରେ ଏହି ମଡେଲର ମାତ୍ର ୩୨୦ଟି ଗିଟାର ରହିଛି। କୋବେନ ଏହି ଗିଟାରକୁ ପାଞ୍ଚ ଡଲାରରେ କିଣିଥିଲେ। ସେ ବାମ ହାତରେ ଗିଟାର ବଜାଉଥିଲେ। ଏଣୁ ଗିଟାର କିଣିବା ପରେ ସେ ନିଜର ସୁବିଧା ହେଲା ଭଳି ସେଥିରେ କିଛି ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ହିଁ ଗିଟାରଟିକୁ ଲୋକପ୍ରିୟ କରିଥିଲା।

LEAVE A REPLY

Please enter your comment!
Please enter your name here