ଓଡ଼ିଶାଲାଇଭ୍ ବ୍ୟୁରୋ
କାଗଜ ବୋତଲରେ ମିଳିବ ମଦ। କାଚ କିମ୍ବା ପ୍ଲାଷ୍ଟିକ ବୋତଲ ବଦଳରେ ଲୋକମାନେ କାଗଜ ବୋତଲରେ ମଦ ପାଇପାରିବେ। ବିଶ୍ୱର ନାମୀଦାମୀ ମଦ କମ୍ପାନି ଡିଆଜିୟୋ ପରିବେଶ ପ୍ରଦୁଷଣକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛି।
ଆଗାମୀ ବର୍ଷରୁ କମ୍ପାନି ତରଫରୁ ବିକ୍ରି ହେଉଥିବା ଜନି ୱାଲକର ମଦ ଏହି କାଗଜ ବୋତଲରେ ମିଳିବ। ପ୍ରାଥମିକ ଅବସ୍ଥାରେ ପରୀକ୍ଷଣ ସଫଳ ହେବା ପରେ କମ୍ପାନି ତରଫରୁ ଏହାକୁ ବ୍ୟାପକ ଭାବେ ବ୍ୟବହାର କରାଯିବ ବୋଲି କୁହାଯାଇଛି।
ପୂର୍ବରୁ ଏହି କମ୍ପାନି କେବଳ କାଚ ଓ ପ୍ଲାଷ୍ଟିକ ବୋତଲରେ ମଦ ବିକ୍ରି କରୁଥିଲା। ହେଲେ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ କମ୍ପାନି କାଗଜ ବୋତଲରେ ମଦ ବିକ୍ରି କରିବାକୁ ଯୋଜନା କରିଛି। ଏହାକୁ ଅନେକ ପରିବେଶବିତମାନେ ମଧ୍ୟ ପ୍ରଂଶସା କରିଛନ୍ତି।
କମ୍ପାନି ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରକାରର କାଗଜରେ ଏହି ବୋତଲ ନିର୍ମାଣ କରାଯିବ। ଯାହାକି ପାଣିରେ ନଭିଜିବା ସହିତ ପୁନଃବ୍ୟବହାର ଯୋଗ୍ୟ ହୋଇପାରିବ ବୋଲି କୁହାଯାଇଛି।
ବର୍ତ୍ତମାନ ଅନେକ ଥଣ୍ଡାପାନୀୟ କମ୍ପାନି ମଧ୍ୟ ନିଜ ଉତ୍ପାଦରେ ପ୍ଲାଷ୍ଟିକ ଓ କାଚ ବୋତଲ ଯାଗାରେ କାଗଜର ବୋତଲ ବ୍ୟବହାର କରୁଛନ୍ତି। ଏହାଦ୍ୱାରା କମ୍ପାନିମାନେ ଆର୍ଥିକ ସ୍ତରରେ ଲାଭବାନ ହେବା ସହିତ ପରିବେଶ ସୁରକ୍ଷା ମଧ୍ୟ ହୋଇପାରୁଛି।








