ଓଡିଶାଲାଇଭ୍ ବ୍ୟୁରୋ
ବୁଧବାର ବିଶ୍ଵର ପ୍ରମୁଖ ରାଜନେତା, ସେଲିବ୍ରିଟି ଏବଂ ବ୍ୟବସାୟୀଙ୍କ ପରି ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ବଡ଼ ବଡ଼ ହସ୍ତିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକରମାନେ ଟୁଇଟ କରି ବିଟକଏନ୍ ମାଗିଥିଲେ। କିଛି ସମୟ ପରେ ଏହି ଟୁଇଟକୁ ଡିଲିଟ ମଧ୍ୟ କରିଦେଇଥିଲେ। ତେବେ ଏହି ବିଟକଏନ୍ କ’ଣ ଓ ଏହାକୁ ନେଇ ଭାରତରେ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା।
ବିଟକଏନ୍ କ’ଣ?
ବିଟକଏନ୍ ହେଉଛି ଏକ କ୍ରିପ୍ଟୋ କରେନ୍ସି। ଏହି କ୍ରିପ୍ଟୋ କରେନ୍ସି ହେଉଛି ଏମିତି ଏକ କରେନ୍ସି ଯାହାକୁ ଦେଖି ହୁଏନାହିଁ। ସରଳ ଭାଷାରେ କହିଲେ ଏହାକୁ ଡିଜିଟାଲ ଟଙ୍କା କୁହାଯାଇପାରେ। କୌଣସି ବ୍ୟାଙ୍କ କ୍ରିପ୍ଟୋ କରେନ୍ସି ଜାରି କରେ ନାହିଁ। ଏହାକୁ କୌଣସି ବ୍ୟାଙ୍କ କିମ୍ବା ସରକାର ନିୟନ୍ତ୍ରଣ କରନ୍ତି ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାକୁ ମାନ୍ୟତା ଦେଇନାହିଁ, କିନ୍ତୁ ସୁପ୍ରିମ କୋର୍ଟ ଭର୍ଚୁଆଲ କରେନ୍ସି ମାଧ୍ୟମରେ କ୍ରିପ୍ଟୋ କରେନ୍ସିର ଆଦାନ ପ୍ରଦାନକୁ ଅନୁମତି ଦେଇଛନ୍ତି।ଭାରତରେ କ୍ରିପ୍ଟୋ କରେନ୍ସି କାରବାର ପାଇଁ ହେଉଥିଲା ୧୦ ବର୍ଷ ଜେଲ୍
କ୍ରିପ୍ଟୋ କରେନ୍ସି ଉପରେ ପ୍ରତିବନ୍ଧକ ଏବଂ ଆଧିକାରିକ ଡିଜିଟାଲ ମୂଦ୍ରା ବିଧେୟକ, ୨୦୧୯ର ଡ୍ରାଫ୍ଟରେ ପ୍ରସ୍ତାବ ଦିଆଯାଇଥିଲା ଯେ, ଦେଶରେ କ୍ରିପ୍ଟୋ କରେନ୍ସି କିଣାବିକା କରୁଥିବା ଲୋକଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ। ଡ୍ରାଫ୍ଟ ଅନୁଯାୟୀ ଯିଏ କ୍ରିପ୍ଟୋ କରେନ୍ସି ତିଆରି କରୁଥିଲେ, ତାହାକୁ ବିକ୍ରି କରୁଥିଲେ, ପାଖରେ କ୍ରିପ୍ଟୋ କରେନ୍ସି ରଖୁଥିଲେ, କାହାକୁ ପଠାଉଥିଲେ କିମ୍ବା କ୍ରିପ୍ଟୋ କରେନ୍ସିକୁ ନେଇ କୌଣସି ପ୍ରକାର ଡିଲ୍ କରୁଥିଲେ ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ୁଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ପ୍ରତିବନ୍ଧକ ହଟାଇ ଦେଇଛନ୍ତି।ସାରା ବିଶ୍ଵରେ ଅନେକ ପ୍ରକାର ଭର୍ଚୁଆଲ କରେନ୍ସି ଅଛି
୨୦୧୮ ଅପ୍ରେଲ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭର୍ଚୁଆଲ କରେନ୍ସି ସାହାଯ୍ୟରେ ବାଣିଜ୍ୟ ବ୍ୟବସାୟକୁ ବ୍ୟାନ୍ କରିଥିଲେ। ବର୍ତ୍ତମାନ ପୁରା ବିଶ୍ଵରେ ବିଭିନ୍ନ ପ୍ରକାର ଭର୍ଚୁଆଲ କରେନ୍ସି ଅଛି। ଏଥିମଧ୍ୟରୁ ବିଟକଏନ୍ର ମୂଲ୍ୟ ସବୁଠୁ ଅଧିକ। ମଙ୍ଗଳବାର ବିଟକଏନ୍ ମୂଲ୍ୟ ୮୮୧୫ ଡଲାରରେ ପହଞ୍ଚିଥିଲା। ଏହାର ବଜାର ପୁଞ୍ଜି ବର୍ତ୍ତମାନ ୧୬୧ ଆରବ ଡଲାର ରହିଛି।