ଭାସ୍କର ପରିଚ୍ଛା

ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୧୫ ହଜାର ଟପିଛି।

ଓଡ଼ିଶାରେ କରୋନାକୁ ଚାରି ମାସ ପୂରିଲା। ଏହି ସମୟ ମଧ୍ୟରେ ମହାମାରୀ ଯୋଗୁଁ ରାଜ୍ୟରେ ଲୋକଙ୍କ  ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଦିନକୁ ଦିନ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କେହି ନିଶ୍ଚିତ ନୁହଁନ୍ତି କେତେଦିନ ଏହି ଅବସ୍ଥା ଲାଗି ରହିବ ଓ କେବେ କରୋନାରୁ ମୁକ୍ତି ମିଳିବ।

ଅବ୍ୟବସ୍ଥା, ଅନିଶ୍ଚିତତା, ମୃତ୍ୟୁ ଭୟ, ଆଶଙ୍କା, ହତାଶା, ଭୋକିଲା ଛବି, ଅପମାନ ତଥା ହତାଦର ଭିତରେ ଚାଲିଛି ଓଡ଼ିଶାର କରୋନା ପରିଚାଳନା। ସରକାରଙ୍କ ଭୁଲ ପଦକ୍ଷେପଗୁଡ଼ିକ ଲୋକଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

CGU newଚାରି ମାସ ତଳେ ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା। ହେଲେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଛି ଓ ପ୍ରତିଦିନ ଶହ ଶହ ନୂଆ ରୋଗୀ ଆସୁଛନ୍ତି।

ଜୁନ ୩୦ରୁ ଜୁଲାଇ ୧୫ ମାତ୍ର ଏହି ଦୁଇ  ସପ୍ତାହ ଭିତରେ କରୋନା ମାମଲା ଦୁଇଗୁଣିତ ହୋଇଛି। ମୃତକଙ୍କ ସଂଖ୍ୟା ବି ସେହିଭଳି ଦୁଇ ଗୁଣରୁ ଅଧିକ ହୋଇଛି। ପ୍ରଥମେ ମାର୍ଚ୍ଚ ୨୩ ତାରିଖରେ ଯେତେବେଳେ ଲକଡାଉନ ଘୋଷଣା ହେଲା ସେତେବେଳେ ଓଡ଼ିଶାର ସ୍ଥିତି ଖୁବ ଭଲ ଥିଲା ଓ ଏହାକୁ ଏକ ମଡେଲ ରାଜ୍ୟ ଭାବରେ ଗଣତି କରାଯାଉଥିଲା। ତେବେ ପ୍ରଶ୍ନ ଉଠୁଛି ଏମିତି  କଣ ହେଲା ଯେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ି ଚାଲିଲା ଓ ସରକାରଙ୍କ ପାଇଁ ହାତ ଟେକିଦେବା ଭଳି ସ୍ଥିତି ସୃଷ୍ଟି ହେଲା?

ଗତ ଚାରି ମାସ ମଧ୍ୟରେ କରୋନା ପରିଚାଳନା ବାବଦକୁ ଓଡ଼ିଶା ସରକାର କେତେ ଯେ ଅର୍ଥ ବ୍ୟୟ କରିଛନ୍ତି ତାର ହିସାବ ନାହିଁ। ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ କେତେ ପ୍ରକାର କସରତ କରାଯାଇଛି ତାର ଇୟତ୍ତା ନାହିଁ। କିନ୍ତୁ କରୋନା ପଜିଟିଭଙ୍କ ସଂଖ୍ୟା ବଢି ବଢି ଚାଲିଛି। ତା’ ସହିତ ମୃତ୍ୟୁ ସଂଖ୍ୟା।

ବିଶେଷଜ୍ଞମାନଙ୍କ ମତରେ ଯଦି କରୋନା ପଜିଟିଭଙ୍କ ସଂଖ୍ୟା ରୋକା ନଯାଏ ଆଗାମୀ ଦିନରେ ଏହା ସାଙ୍ଘାତିକ ରୂପ ଧାରଣ କରିବ।

ଅବଶ୍ୟ ଇତି ମଧ୍ୟରେ ସରକାର ୪ଟି ହଟସ୍ପଟ ଜିଲ୍ଲା ଓ ରାଉରକେଲାରେ ୧୫ ଦିନ ପାଇଁ ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ତେବେ ସରକାରଙ୍କ ପଦକ୍ଷେପଗୁଡ଼ିକ ଅନେକ ସମୟରେ ଦିଗହୀନ ହୋଇ ପଡ଼ିଥିବା ମନେ ହେଉଛି। ସରକାରଙ୍କ କରୋନା ପରିଚାଳନା କେଉଁଠି ମାଡ଼ ଖାଇଛି ତାହା ଦେଖାଯାଉ।

ପ୍ରଥମ, କରୋନା ପରିଚାଳନାରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର ଆଦୌ ଭାଗିଦାରୀ ରହୁନାହିଁ। ଦ୍ଵିତୀୟ, ନିଷ୍ପତ୍ତିଗୁଡ଼ିକ ଅମଲାତାନ୍ତ୍ରିକ ଢଙ୍ଗରେ ନିଆଯାଉଛି ଯାହାକି ପ୍ରଭାବଶାଳୀ ହୋଇପାରୁନାହିଁ।। ଖାଲି ସେତିକି ନୁହେଁ, କରୋନା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରେ ଦୁର୍ନୀତିର ଗନ୍ଧ ବି ବାରି ହେଲାଣି।

ମୂଳ ପ୍ରସଙ୍ଗକୁ ଫେରିବା। ଏବେ ଯେଉଁ ସବୁ ନୂଆ କେସ ଆସୁଛି ସେଗୁଡ଼ିକ ଅଧିକାଂଶତଃ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହିଁ ଆସୁଛି। କିନ୍ତୁ ଏହି ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ଅବସ୍ଥା କହିଲେ ନସରେ। ଯେଉଁସବୁ କୋଭିଡ ହସ୍ପିଟାଲ ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ପ୍ରତିଷ୍ଠା ହୋଇଛି ସେହିସବୁ ହସ୍ପିଟାଲ ସୂଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହ କରୁନାହାନ୍ତି ବୋଲି ଅଭିଯୋଗ ଆସୁଛି।

ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟର ଅର୍ଥନୀତି ମଧ୍ୟ ଦେବାଳିଆ ଅବସ୍ଥାକୁ ଆସିଗଲାଣି। ଲୋକଙ୍କର ରୋଜଗାର ଧନ୍ଦା ମାନ୍ଦା ପଡ଼ିଯିବା ଯୋଗୁଁ ସାଧାରଣ ଖଟିଖିଆ ତ୍ରାହି ତ୍ରାହି ଡାକିଲେଣି। ସବୁଆଡ଼େ ଏକ ପ୍ରକାର ହାହାକାର ଅବସ୍ଥା।

ମୋଟାମୋଟି କଥା ହେଲା, କରୋନା ମୁକାବିଲା ପାଇଁ ଯେଉଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ଅଧିକ କ୍ରିୟାଶୀଳ ହେବା ସହ କିଛି ଦୀର୍ଘସ୍ଥାୟୀ ବ୍ୟବସ୍ଥା କଥା ଚିନ୍ତା କରିବା ଦରକାର। କରୋନା ପରିଚାଳନାକୁ ଯଦି ଆଇନ ଶୃଙ୍ଖଳା ସମସ୍ୟା ବୋଲି ଧରାଯାଏ ମୂଳ ଉଦ୍ଦେଶ୍ୟଟି କଦାପି ଫଳବତୀ ହୋଇ ପାରିବ ନାହିଁ ଓ ରାଜ୍ୟ ଆଗକୁ ଆହୁରି ଅଧିକ ଭୟାବହ ପରିସ୍ଥିତିର ସମ୍ମୁଖୀନ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment