ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସମାନଙ୍କର ଅପେକ୍ଷାର ଅନ୍ତ ଘଟିଛି। ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଆଜି ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମଟି ଡିଜନି ହଟଷ୍ଟାରରେ ସଂଧ୍ୟା ୭.୩୦ ମିନିଟରେ ରିଲିଜ୍ ହେବ।
ତେବେ ଏହି ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ଦର୍ଶକଙ୍କ ପାଇଁ ସୁଶାନ୍ତଙ୍କର ଏହି ଶେଷ ଭେଟିକୁ ମାଗଣାରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛି ଓଟିଟି ପ୍ଲାଟଫର୍ମ। ତେବେ ଭାରତ ବ୍ୟତୀତ ଆମେରିକା, ବ୍ରିଟେନ ଏବଂ କାନାଡ଼ାରେ ମଧ୍ୟ ଏହା ରିଲିଜ୍ ହେବ।
ନିର୍ଦ୍ଦେଶକ ମୁକେଶ ଛାବରାଙ୍କ ଏହି ଫିଲ୍ମଟି ପ୍ରେମ ଓ ମୃତ୍ୟୁ ଉପରେ ଆଧାରିତ। ସବୁ ସମସ୍ୟା ଭିତରେ ବି ଜୀବନ କିଭଳି ଖୁସିରେ ବିତାଇବା କଥା ତାହା ହିଁ ଦେଖାଯାଇଛି। ଜଣେ କ୍ୟାନ୍ସର ପୀଡ଼ିତା ଝିଅ କିଭଳି ପ୍ରେମରେ ପଡ଼ି ଯାଉଛି ତାକୁ ନେଇ ଫିଲ୍ମର କାହାଣୀ ଆଗକୁ ବଢ଼ିଛି। ଏହି ପିଲ୍ମରେ ସୁଶାନ୍ତଙ୍କ ସହ ନଜର ଆସିବେ ସଂଜନା ସାଂଘୀ।

ଆଜି ସଂଧ୍ୟା ୭.୩୦ ମିନିଟରେ ଡିଜନି ହଟଷ୍ଟାରରେ ଲାଇଭ୍ ଏହି ଫିଲ୍ମଟିକୁ ଦେଖିବାକୁ ପାଇବେ ଦର୍ଶକେ। ବଲିଉଡର ଅନ୍ୟ କେତେକ ସେଲିବ୍ରିଟି ମଧ୍ୟ ନିଜ ସୋସିଆଲ ମିଡିଆ ମାଧ୍ୟମରେ ସୁଶାନ୍ତଙ୍କ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ। ଏହି ଫିଲ୍ମଟି ବଲିଉଡ ପାଇଁ ସୁଶାନ୍ତଙ୍କ ଶେଷ ଭେଟି ଏବଂ ଏଥିରେ ଶେଷଥର ପାଇଁ ଦର୍ଶକେ ସୁଶାନ୍ତଙ୍କ ଅଭିନୟ ଦେଖିବାକୁ ପାଇବେ।



















