ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଛି ଡିଜିଟାଲ ପୁସ୍ତକ ଚର୍ଚ୍ଚା। ଏହି ପୁସ୍ତକ ଚର୍ଚ୍ଚାର ତୃତୀୟ ସଂସ୍କରଣରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘କଣାମାମୁ’ ଉପନ୍ୟାସ ସ୍ଥାନ ପାଇଛି। ଏହି ପୁସ୍ତକ ଉପରେ ଆଲୋଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର)।
ଏହି କାର୍ଯ୍ୟକ୍ରମକୁ ଡିଜିଟାଲ ଉଦଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏହି ପୁସ୍ତକ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ। ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଡିଜିଟାଲ ପ୍ଲାଟଫର୍ମରେ ହେଉଥିବାରୁ ଏହାକୁ ସ୍ୱାଗତ କରିଥିଲେ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।
‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’କୁ ଗତ ଜୁନ୍ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ। ଏବେ ସେହି କାନ୍ତକବିଙ୍କ ଆଉ ଏକ ଲୋକପ୍ରିୟ ଉପନ୍ୟାସ ‘କଣାମାମୁ’ର ଡିଜିଟିଲ ମାଧ୍ୟମରେ ଆଲୋଚନା କରାଯାଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଏହି ଉଦ୍ୟମ ସ୍ୱାଗତଯୋଗ୍ୟ। କାନ୍ତକବିଙ୍କ ପ୍ରତି ଏହା ଆଉ ଏକ ସମ୍ମାନ’’, କହିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।
‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ କାଳଜୟୀ ସ୍ରଷ୍ଟା ଥିଲେ। ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରେ ‘କଣାମାମୁ’ ଉପନ୍ୟାସ ହେଉଛି ତାଙ୍କର ଆଉ ଏକ ସୃଷ୍ଟି। ଏହି ଉପନ୍ୟାସରେ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଉପସ୍ଥାପନ କରାଯାଇଛି। ଡିଜିଟାଲ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମରେ ଏହା ନିଶ୍ଚିତ ଭାବେ ସମସ୍ତଙ୍କ ମନକୁ ଛୁଇଁବ’’, କହିଛନ୍ତି ମନୋରଞ୍ଜନ ପାଣିଗ୍ରାହୀ।
‘‘କାନ୍ତକବିଙ୍କ ‘କଣାମାମୁ’ ଉପନ୍ୟାସ ସବୁବେଳେ ପାଠକମାନଙ୍କ ଆଦର ପାଇ ଆସିଛି। ପିଢ଼ି ପରେ ପିଢ଼ି ସମସ୍ତେ ଏହି ଉପନ୍ୟାସକୁ ଗ୍ରହଣ କରିଛନ୍ତି। ଏହି ଉପନ୍ୟାସକୁ ନେଇ ଚର୍ଚ୍ଚା କରାଯାଉଥିବାରୁ ସେଥିପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ମୁଁ ସ୍ୱାଗତ କରୁଛି’’, କହିଛନ୍ତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।
କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ସାହିତ୍ୟ ଜଗତକୁ ଅନେକ କାଳଜୟୀ ପୁସ୍ତକ ଭେଟି ଦେଇଛନ୍ତି। ସେଥିମଧ୍ୟରୁ ୧୯୧୨ରେ ଲେଖିଥିବା ତଥା ୧୯୧୪ରେ ପ୍ରକାଶିତ ହୋଇଥିବା ‘ବନ୍ଦେ ଉତ୍କଳ ଜନନୀ’ ହେଉଛି ଅନ୍ୟତମ। ଏହା କେବଳ ସଙ୍ଗୀତ ନୁହେଁ, ଓଡ଼ିଆ ଜାତିର ଉଚ୍ଚାରଣ। ସେହିପରି ତାଙ୍କର ଆଉ ଦୁଇଟି ରଚନା ‘ବୁଢ଼ା ଶଙ୍ଖାରୀ’ ଏବଂ ‘କଣାମାମୁ’ ସବୁବେଳେ ପାଠକଙ୍କ ମହଲରେ ସ୍ୱତନ୍ତ୍ର ସ୍ଥାନରେ ରହିଛି।
‘‘ତାଙ୍କ କଣାମାମୁର ଚରିତ୍ର ଏକ ଖୋଲା ମେଲା ଅପୂର୍ଣ୍ଣ ଚରିତ୍ର ନୁହେଁ। ସେ ମଧ୍ୟ କାନ୍ତକବିଙ୍କ ଭଳି ଜୀବନ ଉଦ୍ଦାମତାର ଏକ ପ୍ରତିଛବି। କାନ୍ତକବି ଭାବ ରାଜ୍ୟରେ ଥିଲେ ସମ୍ପୂର୍ଣ୍ଣ, ହେଲେ କାର୍ଯ୍ୟକ୍ଷମତାରେ ଥିଲେ ଅସମ୍ପୂର୍ଣ୍ଣ। ଓଡ଼ିଶାର ଜନଜୀବନର ଭାଷା, ପରିଚର୍ଯ୍ୟା ଏବଂ ଯୁବ ସମାଜକୁ ନେଇ ପ୍ରତିକିତ ହୋଇଛି ଏହି ଉପନ୍ୟାସ’’, କହିଛନ୍ତି ଦାଶ ବେନହୁର।
ସେ ଆହୁରି କହିଛନ୍ତି ଯେ, କଣାମାମୁଁ ହେଉଛି ଏକ ଅସମ୍ପୂର୍ଣ୍ଣ ଇତିହାସ। ୧୯୩୭ ମସିହାରେ ଏହି ଉପନ୍ୟାସର ଲେଖା ଆରମ୍ଭ ହୋଇଥିଲା। ନିଜା ଅସମ୍ପୂର୍ଣ୍ଣ କାହାଣୀକୁ କାନ୍ତକବି ଏହି ଉପନ୍ୟାସରେ ସ୍ଥାନିତ କରିଛନ୍ତି। ବିଶେଷକରି ଯୁବକମାନଙ୍କୁ ଏହି ଉପନ୍ୟାସ ପ୍ରେରଣା ଯୋଗାଇଛି। ଗୋଟିଏ ଦବି ଯାଇଥିବା ଏବଂ ସ୍ଥବିର ହୋଇଯାଇଥିବା ଜାତି ଭିତରେ ପ୍ରାଣ ସ୍ଫୁରଣ ଆଣିବାରେ କଣାମାମୁଁର ଅବଦାନ ଚମତ୍କାର।
କାନ୍ତକବି ହେଉଛନ୍ତି ଓଡ଼ିଆ ଜାତିର ଗର୍ବ ଏବଂ ଗୌରବ। ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଓଡ଼ିଆ ଜାତିର ପଥ ପ୍ରଦର୍ଶକ ହୋଇ ରହିଛି। ସେହିପରି ‘କଣାମାମୁଁ’ ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଚମତ୍କାର ଦସ୍ତାବିଜ୍।
ପୁସ୍ତକ ଚର୍ଚ୍ଚାର ଡିଜିଟାଲ ସଂସ୍କରଣକୁ ସଞ୍ଚାଳନ କରିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ଭାଗ୍ୟଲିପି ମଲ୍ଲ।