ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ପହିଲାରୁ ସବୁ କିଛି ଖୋଲିଯିବା ପରେ ଭୁବନେଶ୍ୱର ମହାନଗର ନିଗମର ଚିନ୍ତା ବଢ଼ିଯାଇଛି। ଦିନକୁ ପ୍ରାୟ ୫୦୦ ନୂଆ କରୋନା କେସ୍ ଆସିବା ଫଳରେ ଆଗାମୀ ଦିନରେ ବିଏମସି ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରୁ ୧୧ ହଜାର ପଜିଟିଭ୍ କେସ ଆସିଛି। ମାତ୍ର ତିନି ଦିନ ମଧ୍ୟରେ ଦେଢ଼ ହଜାର ନୂଆ  ମାମଲା ଆସିଥିବା ବେଳେ ଆଗକୁ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି।ଏହାର ଅର୍ଥ ବିଏମସି ଇଲାକାରେ ଅଧିକରୁ ଅଧିକ ହସ୍ପିଟାଲ ବେଡ ଦରକାର ପଡିବ। ଏବେ ସହରରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ହଜାରରୁ ଅଧିକ। ଏହି ସଂଖ୍ୟା ନକମିବାର ଗୋଟିଏ ବଡ଼ କାରଣ ହେଉଛି ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ୁନାହିଁ। ଗୋଟିଏ ପଟେ ନୂଆ ନୂଆ ମାମଲା ଆସୁଥିବାବେଳେ ହସ୍ପିଟାଲରେ ଥିବା ରୋଗୀ ବେଡ ନଛାଡ଼ିବା ଯୋଗୁଁ ବିଏମସି ପାଇଁ ବର୍ତ୍ତମାନ ତାର ବେଡ ସଂଖ୍ୟା ବୃଦ୍ଧି ନକରିବା ଛଡ଼ା ଅନ୍ୟ ଉପାୟ ନାହିଁ।

ଏବେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ୨୭୩୪ ବେଡ ରହିଛି। ଏଥିମଧ୍ୟରୁ କିମ୍ସ ୫୫୫,ସମ ହସ୍ପିଟାଲ ୫୦୦ ଓ ହାଇଟେକ ମେଡ଼ିକାଲ ୫୦୦। ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ୯୯ ବେଡ ଥିବାବେଳେ ନୀଳାଚଳ ହସ୍ପିଟାଲରେ ୧୨୬ ବେଡ ଅଛି। ଏଥିରେ ଆଇସିୟୁ ବେଡ,ଭେଣ୍ଟିଲେଟର ବେଡ ଓ ହାଇଡିପେଣ୍ଡେନସି ବେଡ ଅନ୍ତର୍ଭୁକ୍ତ।ଏହିସବୁ ହସ୍ପିଟାଲକୁ ଛାଡ଼ିଦେଲେ ଜାମୁଝରିଠାରେ ଥିବା କୋଭିଡ କେୟାର  ସେଣ୍ଟରରେ ୪୮୦ଟି ବେଡ୍ ରହିଛି। ଡୁମଡୁମା ଓ ପଟିଆ କୋଭିଡ୍ ସେଣ୍ଟରରେ ୬୦ ଲେଖାଏଁ ଓ ସିଡବି ପକ୍ଷରୁ ୪୦ ବେଡ୍ ବ୍ୟବସ୍ଥା କରାଯାଇଛି। ବିଶେଷଜ୍ଞମାନଙ୍କ ମତରେ ଯଦି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଭଳି ବୃଦ୍ଧି ପାଏ ଏହି ସବୁ ବେଡ୍ ଯଥେଷ୍ଟ ହେବ ନାହିଁ। ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କିନ୍ତୁ କହିଛନ୍ତି ଯେ ବେଡ୍ ସଂଖ୍ୟାକୁ ନେଇ ଆଦୌ ବିବ୍ରତ ହେବାର ନାହିଁ। ତାଙ୍କ କହିବା କଥା ବର୍ତ୍ତମାନ ୭୫ ଭାଗ ବେଡରେ ରୋଗୀ ଅଛନ୍ତି। ବାକି ୨୫ ପ୍ରତିଶତ ବେଡ ହାତରେ ଅଛି।

ବିଏମସି କର୍ତ୍ତୃପକ୍ଷ ବ୍ୟସ୍ତ ନହେବାର ଏକ ବଡ଼ କାରଣ ହେଲା ହାଉସିଙ୍ଗ ସୋସାଇଟି ଓ ରେସିଡେନ୍ସିଅଲ ୱେଲଫେୟାର ଅସୋସିଏସନମାନେ କୋଭିଡ ସୁବିଧା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ତିନି ଜଣ ବିଧାୟକଙ୍କ ପକ୍ଷରୁ ମଧ୍ୟ ଏହିଭଳି ବ୍ୟବସ୍ଥା କରାଯାଇଛି। ଆହୁରି ମଧ୍ୟ ଯେଉଁମାନଙ୍କଠାରେ ଲକ୍ଷଣ ପ୍ରକାଶ ପାଉନାହିଁ ସେମାନେ ଘରେ ପୃଥକବାସରେ ରହିବା ପାଇଁ ଇଚ୍ଛା କରୁଛନ୍ତି।BGUତେବେ ବିଏମସି ଅଧିକାରୀମାନେ ମାନୁଛନ୍ତି ଯେ ଲକଡାଉନ ଉଠିବା ପରେ ଯଦି କେସ୍ ବଢ଼ିଲା ସେମାନଙ୍କର ବିଶେଷ କିଛି କରିବାର ନାହିଁ। ଶହେ ଜଣ ପର୍ଯ୍ୟନ୍ତ ଏକାଠି ହୋଇପାରିବେ ବୋଲି ନୂଆ କୋଭିଡ ନିୟମ କହୁଥିବାରୁ ଆଗକୁ ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ଧାଁଇ ଧାଁଇ ବଢିବ ଏହା ସ୍ପଷ୍ଟ ଦେଖାଯାଉଛି।

Comment