ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ କରୋନା ସଂକ୍ରମଣ କମାଇବାକୁ ବିଏମସି ଆପଣାଇବ ଗଞ୍ଜାମ ଫର୍ମୁଲା।

ରାଜଧାନୀରେ ଏବେ ବେକାବୁ ହୋଇ ବଢ଼ିଚାଲିଛି କରୋନା। ଦିନକୁ ପ୍ରାୟ ୪ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ, ସଂକ୍ରମଣ ରୋକିବା ବିଏମସି ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଅନ୍ୟପଟେ ବଢୁଥିବା ସଂକ୍ରମଣକୁ ଦେଖି ରାଜଧାନୀରେ ଗଞ୍ଜାମ ଫର୍ମୁଲା ଲାଗୁ ହେବ ବୋଲି କହିଛନ୍ତି ବିଏମସିର ଅତିରିକ୍ତି କମିସନର ପାରୁଲ ପଟୱାରି। ଏହାଦ୍ୱାରା ସ୍ମାର୍ଟସିଟିରେ ସଂକ୍ରମଣ ହ୍ରାସ ପାଇବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତେବେ ଗଞ୍ଜାମରେ ଲାଗୁ ହୋଇଥିବା କେଉଁ କେଉଁ ଫର୍ମୁଲା ରାଜଧାନୀରେ ଲାଗୁ ହେବ? କେମିତି ଭୁବନେଶ୍ୱରରେ ସଂକ୍ରମଣ ହ୍ରାସ ପାଇବ? ଆଉ କେତେ ଦିନରେ ସଂକ୍ରମଣ ଆୟତ୍ତାଧୀନ ହେବ ତାହା ଏବେ ସବୁଆଡ଼େ ଚର୍ଚ୍ଚାର କାରଣ ପାଲଟିଛି।

ବଢ଼ିବ ଟେଷ୍ଟିଂ ସଂଖ୍ୟା

କରୋନାର ସଂକ୍ରମଣ କମାଇବାକୁ ହେଲେ ସଂକ୍ରମିତମାନଙ୍କୁ ଜଲଦି ଚିହ୍ନଟ କରିବା ନିହାତି ଦରକାର। ଏଥିପାଇଁ ବ୍ୟାପକ ପରିମାଣରେ ନମୁନା ପରୀକ୍ଷା ହେବା ମଧ୍ୟ ଆବଶ୍ୟକ। ଏପରି ହେଲେ ହିଁ ସଂକ୍ରମଣକୁ ରୋକାଯାଇପାରିବ। ତେଣୁ ରାଜଧାନୀରେ ପୂର୍ବରୁ ଯେତିକି ନମୁନା ପରୀକ୍ଷା ହେଉଥିବା ଏବେ ଏହାକୁ ଆହୁରି ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ପୂର୍ବରୁ ମଧ୍ୟ ଗଞ୍ଜାମରେ ଏହି ଫର୍ମୁଲାକୁ ଆପଣାଯାଇଥିଲା। ପ୍ରବାସୀ ଶ୍ରମିକମାନେ ଗଞ୍ଜାମକୁ ଫେରିବା ପରେ ବ୍ୟାପକ ପରିମାଣରେ ସେମାନଙ୍କର ଟେଷ୍ଟିଂ କରାଯାଇଥିଲା। ଯାହା ଫଳରେ ସଂକ୍ରମିତ ଚିହ୍ନଟ ହୋଇ ସେମାନଙ୍କର ଚିକିତ୍ସା କରାଯାଇଥିଲା। ଏହି ସମୟରେ ଗଞ୍ଜାମରେ ସଂକ୍ରମଣ ଶିଖର ଛୁଇଁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଢ଼େରଗୁଣ କମିଯାଇଥିଲା।

ସ୍କିନିଂ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ଫୋକସ୍

ରାଜଧାନୀରେ କରୋନା ସଂକ୍ରମିତଙ୍କୁ ଖୋଜିବାକୁ ପାଖାପାଖି ୪୦୦ଟି ଟିମ୍ ସ୍କିନିଂ ଟିମ୍ କାମ କରୁଛି। ଏମାନେ ବସ୍ତି ଅଞ୍ଚଳରୁ ଆରମ୍ଭ କରି ଅଣବସ୍ତି ଓ କଲୋନୀ ଅଞ୍ଚଳରେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଯାହା ଦ୍ୱାରା କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହଜ ହେଉଛି। ବିଏମସି ଏବେ ଏହି ସ୍କିନିଂ ଟିମ୍ ସଂଖ୍ୟା ବଢ଼ାଇବାକୁ ଯାଉଛି।corona icmr ne guidelinesସେହିପରି ଜଣେ କେହି ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେ କେଉଁ କେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛି ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କରୋନା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଯେତେଶୀଘ୍ର ହୋଇପାରିବ, ସେତେଶୀଘ୍ର କରୋନକୁ କାବୁ କରାଯାଇପାରିବ। ତେଣୁ ବିଏମସି ଏବେ ଏହି କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ୨୦ରୁ ୩୫କୁ ବୃଦ୍ଧି କରିଛି।

ଣ ଥିଲା ଗଞ୍ଜାମ ଫର୍ମୁଲା?

ପ୍ରବାସୀ ଶ୍ରମିକମାନେ ଗଞ୍ଜାମ ଜିଲ୍ଲାକୁ ଫେରିବା ପରେ ଏହି ଜିଲ୍ଲା ରାଜ୍ୟର କରୋନା ହଟସ୍ପଟ ପାଲଟିଯାଇଥିଲା। ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏପରିକି କିଛି ଲୋକ କରୋନାରେ ପ୍ରାଣ ମଧ୍ୟ ହରାଇଥିଲେ। ଏହାପରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣକୁ କିପରି ଆୟତ୍ତ କରାଯିବ ସେ ନେଇ ଷ୍ଟ୍ରାଟେଜୀ ପ୍ରସ୍ତୁତ କରିଥିଲା ପ୍ରଶାସନ।

ଗଞ୍ଜାମ ଜିଲ୍ଲାକୁ ସ୍ପେଶାଲ୍ ଫୋକସରେ ରଖାଯିବା ସହିତ ସେଠାରେ ବ୍ୟାପକ୍ ପରିମାଣରେ ହେଲଥ୍ ସ୍କିନିଂ ଓ ନମୁନା ପରୀକ୍ଷା କରାଯାଇଥିଲା। ଯାହାଫଳରେ ଗଞ୍ଜାମରୁ ଆହୁରି ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଏହାଦ୍ୱାରା କରୋନାର ସଂକ୍ରମଣକୁ ରୋକାଯାଇପାରିଥିଲା। ଏହାପରେ ପରେ ସ୍ଥିତି ବେଶ୍ ସୁଧୁରିବା ସହିତ ଏବେ ଗଞ୍ଜାମରୁ ଦୈନିକ ଶହେରୁ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି।ସେହିପରି ଗଞ୍ଜାମରେ ସଂକ୍ରମଣ ଥମିବାର ଆଉ ଏକ ଫର୍ମୁଲା ହେଉଛି ସଟଡାଉନ୍ ଓ ଲକଡାଉନ୍। ଯେତେବେଳେ ଗଞ୍ଜାମରେ ହୁ ହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଥିଲା ସେତେବେଳେ ପ୍ରଶାସନ ପକ୍ଷରୁ ଗଞ୍ଜାମରେ ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ ଜାରି କରାଯାଇଥିଲା। ଯାହା ଫଳରେ ଲୋକମାନଙ୍କୁ ଅଯଥା ବୁଲାବୁଲି କରିବାକୁ ମନା କରାଯିବା ସହିତ ସଂକ୍ରମଣକୁ ଯଥେଷ୍ଟ ପରିମାଣରେ ରୋକାଯାଇଥିଲା। ଏଥିସହ ଗଞ୍ଜାମ ଜିଲ୍ଲାର ସୀମାକୁ ମଧ୍ୟ ସିଲ୍ କରାଯାଇଥିଲା। ଏବେ ଭୁବନେଶ୍ୱରରେ ମଧ୍ୟ ସେପରି ନୀତି ଆପଣା ଯାଇପାରେ। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣି ରାଜ୍ୟ ସରକାର ଭୁବନେଶ୍ୱରରେ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରିପାରନ୍ତି।

ତେବେ ଏହି ଗଞ୍ଜାମ ଫର୍ମୁଲା ଲାଗୁ ହେବା ପରେ କେତେ ଦିନରେ ଭୁବନେଶ୍ୱରେ ସଂକ୍ରମଣ କମିବ ଓ ଆଉ କେଉଁ କେଉଁ ନୂଆ ଫର୍ମୁଲା ଭୁବନେଶ୍ୱରରେ ଲାଗୁ କରାଯିବା ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

Comment