ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ବଦଳି ପରେ ଏବେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋରଦାର।

ବଦଳିବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି! ଏମିତି ଚର୍ଚ୍ଚା ଗତକାଲି ରାତିରୁ ରାଜନୀତିକ କରିଡରରେ ଚାଲିଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂଙ୍କୁ ହାଇକମାଣ୍ଡ ବଦଳାଇଦେବା ପରେ ଖୁବ୍‌ଶୀଘ୍ର ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ହଟି ପାରନ୍ତି ବୋଲି କୁହାଯାଉଛି।

ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳର ସିଡବ୍ଲୁସିରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଏଥିସହ କଂଗ୍ରେସ ବିଭିନ୍ନ ରାଜ୍ୟରେ ନୂଆ ପ୍ରଭାରୀମାନଙ୍କୁ ମଧ୍ୟ ନିଯୁକ୍ତି କରିଛି। ଯେଉଁଥିରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ପଦରୁ ଜିତେନ୍ଦ୍ର ସିଂହଙ୍କୁ ହଟାଇ ରାହୁଲଙ୍କ ଯୁବ ଟିମର ନେତା ଡକ୍ଟର ଚେଲ୍ଲାକୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ପ୍ରଭାରୀ ପରିବର୍ତ୍ତନ ପରେ ଏବେ ଓଡ଼ିଶା କଂଗ୍ରେସର ସଭାପତି ମଧ୍ୟ ପରିବର୍ତ୍ତନ ହେବ ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଗତ ୨୦୧୯ ନିର୍ବାଚନ ପୂର୍ବରୁ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତି ପାଇଥିବା ବେଳେ ଜିତେନ୍ଦ୍ର ସିଂଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଦିଲ୍ଲୀରୁ ନିଯୁକ୍ତିପତ୍ର ନେଇ ଏହି ଦୁଇ ନେତା ଯେତେବେଳେ ଓଡ଼ିଶା ଆସିଥିଲେ ଉଭୟଙ୍କୁ କଂଗ୍ରେସ କର୍ମୀ ଭବ୍ୟ ସ୍ୱାଗତ କରିଥିଲେ। ଜିତେନ୍ଦ୍ର ଏବଂ ନିରଞ୍ଜନଙ୍କ ମାର୍ଗ ଦର୍ଶନରେ କଂଗ୍ରେସ ୨୦୧୯ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା। ହେଲେ କଂଗ୍ରେସ ଭଲ ପ୍ରଦର୍ଶନ କରି ପାରିଲା ନାହିଁ। ଏବେ ଜିତେନ୍ଦ୍ର ପ୍ରଭାରୀ ପଦରୁ ହଟିଥିବା ବେଳେ ନିରଞ୍ଜନଙ୍କ ପାଳି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ପଦରୁ ହଟିବେ ନିରଞ୍ଜନ

୨୦୧୯ ନିର୍ବାଚନରେ କଂଗ୍ରେସ ବ୍ୟାକଫୁଟ୍‌ରେ ରହିବା ପରେ ନିରଞ୍ଜନ ହଟାଓ ଅଭିଯାନ ଓଡ଼ିଶା କଂଗ୍ରେସରେ ଆରମ୍ଭ ହୋଇଥିଲା। କିଛି ନେତା ଦିଲ୍ଲୀରେ ମଧ୍ୟ ଲବି କରିଥିଲେ। ହେଲେ ନିରଞ୍ଜନଙ୍କୁ ପଦରୁ ହଟାଇ ନଥିଲେ ହାଇକମାଣ୍ଡ। ଏବେ ବି ନିରଞ୍ଜନଙ୍କୁ ହଟାଇବା ଲାଗି ଗୋଟିଏ ଗୋଷ୍ଠୀ ମେଳି ବାନ୍ଧୁଛନ୍ତି। ଏପରିସ୍ଥଳେ ପ୍ରଭାରୀଙ୍କୁ ହଟାଇ ଖୁବଶୀଘ୍ର ପିସିସି ସଭାପତି ବଦଳିବେ ବୋଲି ହାଇକମାଣ୍ଡ ସଙ୍କେତ ଦେଇଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କୁ ପ୍ରଦେଶ କଂଗ୍ରେସର ଦାୟିତ୍ୱ ଦେଇଥିଲେ ପାର୍ଟି ହାଇକମାଣ୍ଡ। ହେଲେ ନିରଞ୍ଜନଙ୍କ ନେତୃତ୍ୱରେ ଦଳ ସେମିତି କିଛି ଭଲ ପ୍ରଦର୍ଶନ କରିପାରିଲାନି। ବିଧାନସଭା ନିର୍ବାଚନରେ ଦଳ ମାତ୍ର ୯ଟି ଆସନ ପାଇଥିବାବେଳେ ଦଳ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇଥିଲା। ତେଣୁ ଏଥିପାଇଁ ନିଜକୁ ଦାୟୀ କରି ନିରଞ୍ଜନ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ହେଲେ ସେ ସମୟରେ ଏହାକୁ ଦଳ ସ୍ୱୀକାର କରିନଥିଲା। ତେଣୁ ନିରଞ୍ଜନ ପିସିସି ସଭାପତି ପଦରେ ରହିଥିଲେ। ହେଲେ ଏବେ ରାଜନୀତି ପାଣିପାଗ ବଦଳିବା ସହିତ ପିସିସି ସଭାପତି ବଦଳିବେ ବୋଲି କୁହାଯାଉଛି।

ଓଡ଼ିଶାକୁ ମିଳିପାରେ ଯୁବ ନେତୃତ୍ୱ

ପିସିସି ସଭାପତି ପଦରୁ ନିରଞ୍ଜନ ହଟିବା ପରେ ଦଳ କୌଣସି ଯୁବ ନେତାଙ୍କୁ ପ୍ରଦେଶ କଂଗ୍ରେସ ଦାୟିତ୍ୱ ଦେବ ବୋଲି କୁହାଯାଉଛି। ବିଶେଷକରି ଏଥିପାଇଁ ୨ ଜଣ ଯୁବ ନେତା ରେସରେ ଥିବା ଜଣାପଡ଼ିଛି। ସେମାନଙ୍କ ଭିତରେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍  ଏବଂ ଏଆଇସିସି ସମ୍ପାଦକ ତଥା ଗୁଜରାଟ ସହପ୍ରଭାରୀ ବିଶ୍ୱରଞ୍ଜନ ମହାନ୍ତି ଆଗରେ ଅଛନ୍ତି।

ମୋକିମଙ୍କୁ ପିସିସି ସଭାପତି ପଦରେ ବସାଇବା ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଲବି ଚଳାଇଛନ୍ତି। ଏଥିପାଇଁ ଗତ କିଛି ଦିନ ତଳେ ଏହି ଗୋଷ୍ଠୀ ଦିଲ୍ଲୀରେ ଡେରା ପକାଇଥିଲେ। ହେଲେ କିଛି ସୁଫଳ ମିଳି ନଥିଲା।

ଅନ୍ୟପଟେ ବର୍ତ୍ତମାନ ଏଆଇସିସିର ସମ୍ପାଦକ ତଥା ଗୁଜରାଟ ପ୍ରଦେଶର ସହ ପ୍ରଭାରୀ ଥିବା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ପିସିସି ସଭାପତି ପଦ ମିଳିପାରେ ବୋଲି ଦିଲ୍ଲୀ ଦରବାରରେ ଚର୍ଚ୍ଚା ହେଉଛି। ରାହୁଲଙ୍କ ଯୁବ ଟିମରେ ବିଶ୍ୱରଞ୍ଜନ ଆଗଧାଡ଼ିର ନେତା ହୋଇଥିବାରୁ ତାଙ୍କ ନାଁ ଚର୍ଚ୍ଚାରେ ରହିଛି। ଯୁବ ନେତୃତ୍ୱଙ୍କୁ ଆଗରେ ରଖି କଂଗ୍ରେସ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବ ବୋଲି କୁହାଯାଉଛି।

ସଭାପତି ରେସରେ ବାହିନୀପତି

ରାଜ୍ୟ କଂଗ୍ରେସର ପୁରୁଖା ନେତା ତାରା ପ୍ରସାଦ ବାହିନୀପତି ପିସିସି ସଭାପତି ରେସରେ ରହିଛନ୍ତି।

ଜୟପୁର ବିଧାୟକ ବିଧାୟକ ତାରା ପ୍ରସାଦ ବାହିନୀପତି ଏନେଇ ଗତ କିଛି ତଳେ ଖୋଲାଖୋଲି ଭାବେ ସୂଚନା ଦେଇଛନ୍ତି। ଚଳିତବର୍ଷ ନୂଆଖାଇ ଭେଟଘାଟ ଆଳରେ କିଛି ନେତା ଏନେଇ ବାହିନୀପତିଙ୍କ ସହ ତାଙ୍କ ଘରେ ବସି ଆଲୋଚନା କରୁଥିବା ଜଣାପଡ଼ିଥିଲା। ବାହିନୀପତି ମଧ୍ୟ ପିସିସି ସଭାପତି ମିଳିଲେ ଛାଡ଼ିବାର ନାହିଁ ବୋଲି କହିଛନ୍ତି। BGUଯୁବ କଂଗ୍ରେସକୁ ମିଳିଛି ନୂଆ ନେତୃତ୍ୱ

ନିକଟରେ ରାଜ୍ୟ ଯୁବ କଂଗ୍ରେସ କମିଟିରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ସଭାପତି କରାଯାଇଥିଲା। ଏହି ପଦବୀ ପାଇଁ ବହୁ ନେତା ଆଶାୟୀ ଥିଲେ। ହେଲେ ସ୍ମୃତିରଞ୍ଜନ ବାଜି ମାରିନେଲେ। ସ୍ମୃତିରଞ୍ଜନଙ୍କ ନିଯୁକ୍ତି ପରେ ପିସିସି ସଭାପତି ବଦଳିବା ନେଇ ଚର୍ଚ୍ଚା ହେଉଥିଲା। ଆଜି ପ୍ରଭାରୀ ବଦଳିବା ପରେ ପିସିସି ସଭାପତି ବଦଳିବେ ବୋଲି ଚର୍ଚ୍ଚା ହେଉଛି।

Comment