ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ଖୋଲିବା ଦାବି ନେଇ ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମୟରେ ଯଦି ଅନେକ ଲୋକ ସେଠାରେ ସାମିଲ ହେଲେ ତେବେ ଶ୍ରୀମନ୍ଦିର ଖୋଲିଲେ ଅସୁବିଧା କ’ଣ ବୋଲି ଦାମୋଦର ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାରୋଟି ପର୍ଯ୍ୟାୟରେ ଦିଆଯାଇଥିବା ୫ ହଜାର ଟଙ୍କା ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି।
ତେବେ ଶ୍ରୀମନ୍ଦିର ଚାରି ଦ୍ଵାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପଟେ କରୋନା ମହାମାରୀ ଯୋଗୁଁ ଦୀର୍ଘ ୮ ମାସ ହେବ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି।
ସେହିପରି ଭକ୍ତଙ୍କ ବିନା ସେବାୟତମାନେ ବିନା ରୋଜଗାରରେ ଘର ଚଳାଇବା ଭଳି କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଣୁ ତୁରନ୍ତ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଦାମୋଦର ଦାବି କରିଛନ୍ତି।
















